ସଂଚାର ବ୍ୟୁରୋ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ l ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ଗଲେ ୪ ଜଣ ଯୁବକ। ରଥଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ଜଗିଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ୪ଜଣ ଯୁବକ କେଉଁ ଉଦ୍ଦେଶ୍ୟରେ ଚଢି ଭିତରକୁ ଗଲେ। ସୁରକ୍ଷାକର୍ମୀ ଏନେଇ ଅବଗତ ଥିଲେ ନା ସୁରକ୍ଷାରେ ଅବହେଳା ହୋଇଛି, ତାହା ତଦନ୍ତ ସାପେକ୍ଷ। ପୂର୍ବରୁ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ନେଇ ଗୁଇନ୍ଦା ବିଭାଗ ତରଫରୁ ସତର୍କ କରାଯାଇଥିବା ବେଳେ, ଏ ଦୃଶ୍ୟ ଶ୍ରୀମନ୍ଦିରକୁ ବିପଦରେ ପକାଉଛି ବୋଲି ଏଥିରେ ସନ୍ଦେହ ନାହିଁ। ସେପଟେ ସମସ୍ତ ସୁରକ୍ଷାକର୍ମୀ ତିନି ରଥର ସୁରକ୍ଷା ସହ ଭକ୍ତଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଥିବା ବେଳେ, ଶ୍ରୀମନ୍ଦିର ବାହାର ଓ ଭିତର ସୁରକ୍ଷା ବ୍ୟବସ୍ଥାର ଚରମ ଅବହେଳା ଏବେ ପଦାରେ ପଡିଛି। ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠନ କରାଯାଇଛି ସ୍ୱତନ୍ତ୍ର ଟିମ। ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍।

