ପୁରୀ: ପୁରୀ ସମୁଦ୍ରରେ ଏକ ବଡ଼ ଅଘଟଣ ଘଟିଛି । ସମୁଦ୍ରରେ ବୁଡ଼ିଗଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ । ସମସ୍ତଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ୪ ପର୍ଯ୍ୟଟକ ସମ୍ପୂର୍ଣ୍ଣ ବିପଦମୁକ୍ତ ରହିଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପୁରୀ ସମୁଦ୍ରରେ ଏକ ସ୍ପିଡ୍ ବୋଟ୍ ଜଳ କ୍ରୀଡ଼ା ପାଇଁ ୪ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ସମୁଦ୍ର ଭିତରକୁ ଯାଇଥିଲା । ଉକ୍ତ ବୋଟରେ ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ଗାଙ୍ଗୁଲି ଏବଂ ଭାଉଜ ଅର୍ପିତା ଗାଙ୍ଗୁଲି ଥିଲେ । ମାତ୍ର ସମୁଦ୍ରରେ ଉଚ୍ଚ ଜୁଆର ଆସିବାରୁ ବୋଟ୍ ହଠାତ୍ ଓଲଟି ପଡ଼ିଥିଲା । ଫଳରେ ସମସ୍ତ ପର୍ଯ୍ୟଟକ ବୁଡ଼ି ଯାଇଥିଲେ । ସେଠାର ଉପସ୍ଥିତ ଥିବା ଲାଇଫ୍ ଗାର୍ଡ଼ ସେମାନଙ୍କୁ ଉଦ୍ଧାର କରିଥିଲେ ।
ସମସ୍ତ ପର୍ଯ୍ୟଟକଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଭଲ ଅଛି । ତେବେ ବୋଟର ଲାଇସେନ୍ସ ଥିଲା କି ନାହିଁ ଏବଂ ଦକ୍ଷ ଚାଳକ ଥିଲେ କି ନାହିଁ ସେ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛନ୍ତି ।