ସଂଚାର ବ୍ୟୁରୋ: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା l ମଧ୍ୟାହ୍ନ ଧୂପ ପରେ ଶ୍ରୀଦେବୀ, ଭୂଦେବୀ ଏବଂ ମଦନ ମୋହନ ଝୁଲଣ ମଣ୍ଡପକୁ ବିଜେ କରିବେ । ୭ ଦିନ ଧରି ଅନୁଷ୍ଠିତ ହେବ ଏହି ଝୁଲଣ ଯାତ୍ରା । ଶ୍ରୀମନ୍ଦିରରେ ଶ୍ରାବଣ ଶୁକ୍ଳ ଦଶମୀତିଥିରେ ଆରମ୍ଭ ହୋଇ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ ।ରତ୍ନସିଂହାସନରେ ଶ୍ରୀଜୀଉଙ୍କ ସର୍ବାଙ୍ଗ, ବେଶ, ଦକ୍ଷିଣୀ ଘର ଭୋଗ ସରିବା ପରେ ମହାଜନ ସେବକଙ୍କ ହସ୍ତରେ ତିନି ଚଳନ୍ତି ପ୍ରତିମା ସିଂହାସନକୁ ବିଜେ କରିବେ । ସେଠାରେ ଶ୍ରୀମଦନମୋହନ ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରିଥାନ୍ତି। ଏହି ସମୟରେ ଘଣ୍ଟ, ଛତ୍ର, କାହାଳୀ ବାଜିଥାଏ । ବେଢ଼ା ପରିକ୍ରମା ପରେ ଶ୍ରୀ ମଦନମୋହନ ଜୟ ବିଜୟ ଦ୍ୱାର ଠାରେ ବିଜେ କରିଥାନ୍ତି l ଅନେକ ମଠ ଗୁଡିକରେ ମଧ୍ୟ ବେଶ ଜାକଜମକରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ।