ସଂଚାର ବ୍ୟୁରୋ: ଶ୍ରୀମନ୍ଦିରରେ ପବିତ୍ର ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ହେଉଛି ଏହାର ଦ୍ଵିତୀୟ ଦିବସ । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ । ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ଆଜି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଦଶରଥ ଏବଂ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଶ୍ରାଦ୍ଧ ଦେବେ । ତେଣୁ ଶ୍ରାଦ୍ଧ ବେଶରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିବା ବେଳେ ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ମଧ୍ୟ ଦେବେ।
ତେବେ ଏହି ଅବସରରେ ତିନି ଠାକୁର ଶ୍ଵେତ ବସ୍ତ୍ର ପରିଧାନ କରିଥାନ୍ତି। ଠାକୁରଙ୍କୁ ବିଭିନ୍ନ ସ୍ଵର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯାଇଥାଏ । ପୂଜାପଣ୍ଡା ସେବାୟତମାନେ ଏହି ପିଣ୍ଡଦାନ କରିଥାନ୍ତି । ବୁଧବାର ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଅଦିତି ଓ କାଶ୍ୟପଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଦୀପଦାନ ସହିତ ଶ୍ରାଦ୍ଧ ପ୍ରଦାନ କରିଥିଲେ।
ସେହିପରି ଶୁକ୍ରବାର ତୃତୀୟ ଦିନ ପ୍ରତିପଦା ତିଥିରେ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ ସହ ଶ୍ରାଦ୍ଧ ତର୍ପଣ କରିବେ ମହାପ୍ରଭୁ । ଅନ୍ୟପଟେ ଆଜି ଦେବଦୀପାବଳିର ଦ୍ଵିତୀୟ ଦିବସରେ ଓଡ଼ିଶା ଇଣ୍ଟରନ୍ୟାସନାଲ୍ ସେଣ୍ଟର ପକ୍ଷରୁ ସନ୍ଧ୍ୟାରେ ବଡ଼ଦାଣ୍ଡରେ ଏକଲକ୍ଷ ଦୀପ ଜଳିବ। ବିଶ୍ଵର କଲ୍ୟାଣ ସହ ଜଗତର ମଙ୍ଗଳ କାମନା ପାଇଁ ଏହି ଦୀପଦାନ କରାଯିବ।
ଶ୍ରୀଜୀଉଙ୍କ ଶ୍ରାଦ୍ଧ ଦୀପାବଳି କଣ ?
ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ୟୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ , ଅମାବାସ୍ୟା ଦିନ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି । ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳି ଉତ୍ସବ ପାଳନ କରାଯାଏ । ଏହି ଦିନମାନଙ୍କରେ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବଦୀପାବଳି କୁହାଯାଏ ।
ଶ୍ରାଦ୍ଧ ସମୟରେ ଶ୍ରୀଜଗନ୍ନାଥ ପିନ୍ଧୁଥିବା ବସ୍ତ୍ରକୁ କାଶୀଧଡ଼ିଆ ବସ୍ତ୍ର କୁହାଯାଏ । ଏହାର ରଙ୍ଗ ଶ୍ୱେତବର୍ଣ୍ଣ ଓ ଧଡ଼ିରେ ବଡ଼ ବଡ଼ କୁମ୍ଭମାନ ପଡ଼ିଥାଏ । ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତାକର୍ଷକ ଶ୍ରାଦ୍ଧବେଶରେ ସଜ୍ଜିତ କରିଥାନ୍ତି । ଏହି ଅବସରରେ ଠାକୁରମାନେ ନଳିଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାଶାଳି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି ।

