ସଂଚାର ବ୍ୟୁରୋ: ୱାୟନାଡ ଲୋକସଭା ସିଟ୍ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା ।
ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ ବେଳେ ତାଙ୍କ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି ଓ କଂଗ୍ରେସର ବହୁ ହେଭିୱେଟ ନେତା ଉପସ୍ଥିତ ଥିଲେ। ନିଜ ମା’ଙ୍କ ସହ ପ୍ରିୟଙ୍କା ଗତ ରାତିରେ ୱାୟନାଡରେ ପହଞ୍ଚିଥିଲେ। ସେଠାରେ ସେମାନେ ସ୍ଥାନୀୟ ଲୋକଙ୍କ ସହ ବହୁ ଚର୍ଚ୍ଚା ଓ ଆଲୋଚନା କରିଥିଲେ।
ୱାୟନାଡ ଉପନିର୍ବାଚନ ନିମନ୍ତେ ଆସନ୍ତା ମାସ ୧୩ ତାରିଖରେ ମତଦାନ ହେବ । ଏହାପରେ ଆସନ୍ତା ୨୩ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ପ୍ରିୟଙ୍କା ଗାନ୍ଧି ଭଦ୍ରା ଜିତିଲେ ସେ ପ୍ରଥମ ଥର ପାଇୱ ସଂସଦକୁ ଯିବେ। ଫଳରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାରର ୩ ସଦସ୍ୟ ସୋନିଆ ଓ ତାଙ୍କ ପୁଅଝିଅଙ୍କୁ ଏକ ସଙ୍ଗେ ସଂସଦରେ ଦେଖିବାକୁ ମିଳିବ ।
ପ୍ରିୟଙ୍କା ପ୍ରଥମ ଥର ରାଜନୀତି ମଇଦାନକୁ ଓହ୍ଲାଉଥିବା ବେଳେ ତାଙ୍କ ନିକଟରେ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ କିନ୍ତୁ ଦେଖିବାକୁ ମିଳି ନ ଥିଲା। କିନ୍ତୁ ପତ୍ନୀଙ୍କ ଏହି ନୂଆ କାମ ପାଇଁ ରବର୍ଟ ଭଦ୍ରା ସୋଶାଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ଯାତ୍ରା ପାଇଁ ଶୁଭକାମନା ତୁମକୁ ସମର୍ଥନ କରିବାକୁ ମୁଁ ସବୁବେଳେ ତୁମ ସହ ରହିଛି। ଭଗବାନ ତୁମକୁ ସହାୟ ହୁଅନ୍ତୁ। ଦେଶବାସୀ ସଂସଦରେ ତୁମ ଆଗମନ ପାଇଁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ରୋବର୍ଟ ଭଦ୍ରା।
୨୦୧୯ରେ ରାହୁଲ ଗାନ୍ଧି ୱାୟନାଡରୁ ପ୍ରଥମଥର ନିର୍ବାଚନ ଲଢ଼ିବା ସହ ବିଜୟ ହୋଇଥିଲେ। ୨୦୨୪ରେ ସେ ୱାୟନାଡ ସହ ରାଏବରେଲୀ ଆସନରେ ନିର୍ବାଚନ ଲଢ଼ି ଦୁଇଟି ଯାକ ଆସନ ଜିତିଥିଲେ।