ସଂଚାର ବ୍ୟୁରୋ: ମଦ ବୋଝେଇ ଟ୍ରକକୁ ଧକ୍କା ଦେଲା ବାଲି ବୋଝେଇ ହାଇଓ୍ବା । ଭାରସାମ୍ୟ ହରାଇ ଓଲଟିଲା ମଦ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଗାଡ଼ିର ହେଲପର ମୃତ ଓ ଡ୍ରାଇଭର ଆହତ। ଜଗତସିଂହପୁର କୁଜଙ୍ଗ ବଜାର ନିକଟରେ ଘଟିଛି ଦୁର୍ଘଟଣା। ପାରାଦୀପ ଆସୁଥିବା ବେଳେ ଟ୍ରକଟି ଓଲଟିବା ସହିତ କେନାଲ ପଟକୁ ଖସିପଡିଛି। ଦୀର୍ଘ ସମୟ ଧରି ଗାଡ଼ି ତଳେ ଚାପି ହୋଇ ରହିଥିଲେ ହେଲପର। ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଗାଡ଼ିରେ ଥିବା ମଦକୁ ଜବତ କରାଯାଇଛି। ଆହତ ଡ୍ରାଇଭରକୁ କୁଜଙ୍ଗ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଧକ୍କା ଦେଇ ଫେରାର ହୋଇଯାଇଥିବା ହାଇଓ୍ବା ଗାଡ଼ିକୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ।