ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ନବମ ମୁକାବିଲା ବର୍ଷା କାରଣରୁ ରଦ୍ଦ ହୋଇଛି। ରାଓ୍ଵଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଲଗାତାର ବର୍ଷା ଓ ଅଦା ଆଉଟ୍ ଫିଲ୍ଡ କାରଣରୁ ଟସ୍ ବି ପଡ଼ି ପାରିନି। ଏଥିସହ ବିନା କୌଣସି ବିଜୟରେ ପାକିସ୍ତାନ ତୃତୀୟ ଥର ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଛି। ଏହା ପୂର୍ବରୁ ପାକିସ୍ତାନ ୨୦୨୩ରେ ଦିନିକିଆ ବିଶ୍ଵକପ୍ ଓ ୨୦୨୪ରେ ଟି-୨୦ ବିଶ୍ଵକପ୍ରେ ପ୍ରଥମ ରାଉଣ୍ଡରୁ ହିଁ ବାଦ୍ ପଡ଼ିଥିଲା। ବାଂଲାଦେଶ ବି ବିନା କୌଣସି ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି।
ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅପରାହ୍ଣ ୨ଟା ୩୦ରେ ଖେଳା ଯିବାର ଥିଲା। ମାତ୍ର ବର୍ଷା କାରଣରୁ ଟସ୍ ବି ପଡ଼ି ପାରିଲା ନାହିଁ। ବର୍ଷା ନ ଛାଡ଼ିବାରୁ ମ୍ୟାଚ୍ ରଦ୍ଦ ଘୋଷଣା କରାଯାଇଛି। ପାକିସ୍ତାନ ପାଇଁ ଲଜ୍ଜାଜନକ ଏହା ଯେ, ଦଳ ନିଜ ମାଟିରେ ବି ଗୋଟିଏ ହେଲେ ମ୍ୟାଚ୍ ଜିତି ପାରିଲା ନାହିଁ। ନିଜେ ଆୟୋଜକ ପାକିସ୍ତାନ ପାଇଁ ଲଜ୍ଜାଜନକ ଏହା ଯେ, ଦଳ ନିଜ ମାଟିରେ ବି ଗୋଟିଏ ହେଲେ ମ୍ୟାଚ୍ ଜିତି ପାରିଲା ନାହିଁ। ନିଜେ ଆୟୋଜକ ଥିବା ପାକିସ୍ତାନ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠୁ ପରାଜିତ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ରେ ଭାରତଠୁ ହାରିଥିଲା। ଆଉ ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହୋଇଛି।
ଅନ୍ୟପଟେ ବାଂଲାଦେଶ ନିଜର ପ୍ରଥମ ମ୍ୟାଚ୍ରେ ଭାରତଠୁ ପରାଜିତ ହୋଇଥିଲା। ଏହା ପରେ ଦ୍ଵିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡ ବାଂଲାଦେଶକୁ ୫ ଓ୍ଵିକେଟ୍ରେ ହରାଇଥିଲା। ଆଉ ତୃତୀୟ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଉଲ୍ଲେଖନୀୟ ପାକିସ୍ତାନ ଓ ବାଂଲାଦେଶ ପୂର୍ବରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ବର୍ଷା ଯୋଗୁଁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁକାବିଲା ରଦ୍ଦ ହୋଇଥିଲା।