ସଂଚାର ବ୍ୟୁରୋ: ପାକିସ୍ତାନରେ ଗଣହତ୍ଯା। ଜଣ ଜଣ କରି ୨୩ ଜଣଙ୍କୁ ହତ୍ଯା କଲେ ବଲୁଚ ବିଦ୍ରୋହୀ। ପାକିସ୍ତାନ ବଲୁଚିସ୍ତାନ ଅଂଚଳରେ ଘଟିଛି ଏ ଭୟଙ୍କର ନରସଂହାର। ବଲୁଚ ବିଦ୍ରୋହୀ ଏହି ଭୀଷଣ ଆକ୍ରମଣ ଘଟାଇଛନ୍ତି। ବଲୁଚ ନେତା ନବାବ ବୁଗତିଙ୍କ ବାର୍ଷିକୀ ଅବସରରେ ଏହି ଭୟଙ୍କର କାଣ୍ଡ ଘଟାଇଛନ୍ତି ବଲୁଚ ବିଦ୍ରୋହୀ। ବସ ଓ ଟ୍ରକରୁ ଲୋକଙ୍କୁ ଗୋଟି ଗୋଟି କରି ଓହ୍ଲାଇ ୨୩ ଜଣଙ୍କୁ ହତ୍ଯା କରିଛନ୍ତି ବିଦ୍ରୋହୀ। ବଲୁଚ ଲିବେରେସନ ଆର୍ମିର ସଶସ୍ତ୍ର ବାହିନୀ ଗାଡିଗୁଡିକୁ ଅଟକାଇ ଏହି ନରସଂହାର ଘଟାଇଛନ୍ତି। ସମସ୍ତ ମୃତକ ପଞ୍ଜାବ ପ୍ରଦେଶ ଅଂଚଳର ବୋଲି ଜଣାପଡିଛି। ମୁସାଖେଲ ଜିଲ୍ଲାରେ ଘଟିଛି ଏ ଘଟଣା। ସାଧା ପୋଷାକରେ ଯାଉଥିବା ପାକିସ୍ତାନ ସେନାର ଯବାନଙ୍କୁ ହତ୍ଯା କରିଥିବା ଶୁଣିବାକୁ ମିଳୁଛି। ହତ୍ଯାକାଣ୍ଡ ଘଟାଇବା ପରେ ବଲୁଚ ବିଦ୍ରୋହୀ ୧୦ ଗାଡିକୁ ଜାଳି ଦେଇଛନ୍ତି। ଜାତୀୟ ରାଜପଥ ଅବରୋଧ କରି ଗାଡିରୁ ଓହ୍ଲାଇବାକୁ କହି ଲୋକଙ୍କୁ ହତ୍ଯା କରିଥିଲେ। ଘଟଣାସ୍ଥଳରେ ପାକିସ୍ତାନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ନିନ୍ଦା କରିଛନ୍ତି ପାକିସ୍ତାନ ଗୃହମନ୍ତ୍ରୀ। ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପାକିସ୍ତାନ ସରକାର।