ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଶୀତର ରାଜୁତି। ଉପକୂଳ ଅପେକ୍ଷା ଅଧିକ ଥରୁଛି ଆଭ୍ୟନ୍ତରୀଣ ଓଡିଶା। ଆଜି ୫ ଡିଗ୍ରୀ ତଳକୁ ଖସିଛି ଜି. ଉଦୟଗିରିର ତାପମାତ୍ରା। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଜାଡ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଶୀତ ବଢିବ। ଝାରସୁଗୁଡା, ସୁନ୍ଦରଗଡ, କନ୍ଧମାଳ, କଳାହାଣ୍ଡି, ସମ୍ବଲପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେବ।
ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଶୀତ ଅନୁଭୂତ ହେବ। ପରେ ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ଯକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିବ। ଯାହାର ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବ। ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ ଦୂରତା। ଏହା ସହ ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ ଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି। ଆଜି ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ସେମିଳିଗୁଡାରେ ୬.୮, ରାଉରକେଲା ରେ ୭.୨, ଫୁଲବାଣୀ ରେ ୭.୫, ଝାରସୁଗୁଡା ରେ ୭.୮, ଦାରିଙ୍ଗବାଡିରେ ୮.୫, ଚିପିଲିମାରେ ୯.୩, କିରେଇରେ ୯.୯, ସୁନ୍ଦରଗଡ, ବଲାଙ୍ଗୀର ଏବଂ ଭବାନୀପାଟଣା ରେ ୧୦ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି।