ସଂଚାର ବ୍ୟୁରୋେ: ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୫ ତାରିଖ ସୁଦ୍ଧା ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ମଧ୍ୟ ସମୁଦ୍ର ନିକଟସ୍ଥ ମିଆଁମାର-ବାଂଲାଦେଶ ଉପକୂଳ ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୫ ତାରିଖ ବେଳକୁ ରାଜ୍ୟରେ ପୁଣି ବର୍ଷା ବଢିବ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ଗରମ ଓ ଗୁଳୁଗୁଳି । ପୁଣି ସାଧାରଣ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା । ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ବର୍ତ୍ତମାନ ଦକ୍ଷିଣ ଅଭ୍ୟନ୍ତର ଓଡ଼ିଶା ଓ ଉପକୂଳ ଓଡିଶାରେ ଗୁଳୁଗୁଳିର ପ୍ରଭାବ ଦେଖିବାକୁ ମିଳିବ । କୋରାପୁଟରେ ୩୭ ଡିଗ୍ରୀ ସେଲସିୟସ ସହ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଭୁବନେଶ୍ୱରରେ ୩୬.୧ ଓ କଟକରେ ୩୫.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

