ତାତିରୁ ମିଳିବ ଆଶ୍ୱସ୍ତି l କୁଆପଥର ବର୍ଷା ସହ ପାଗରେ ହେବ ପରିବର୍ତ୍ତନ । କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ହେବ ବର୍ଷା । ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଏବଂ ପବନ ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।ଆସନ୍ତା କାଲିଠୁ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। ୨୦ ଓ ୨୧ ତାରିଖରେ ହାଲୁକା ବର୍ଷା ଘଡଘଡି ବିଜୁଳି ଝଡ଼ ପବନ ହେବାର ସମ୍ଭାବନା ରହିଛି । ଏହି ସମୟରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେଥିପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ, ଦେବଗଡ଼, ବୌଦ୍ଧ ,ଅନୁଗୁଳ ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବ । ୨୧ ତାରିଖ ରେ ମଧ୍ୟ ବର୍ଷା ଲାଗି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ ,ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୨ ତାରିଖରେ ସଂପୂଣ୍ଣ ଓଡ଼ିଶାରେ ବର୍ଷା ସହ କୁଆପଥର ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ତେବେ ଆଗାମୀ ୨ ରୁ ୩ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ସେପଟେ ଆଜି ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଝାରସୁଗୁଡା ୩୮.୬ ଡିଗ୍ରୀ, ହୀରାକୁଦ ୩୮.୪ ଡିଗ୍ରୀ, ରାଉରକେଲା ୩୭.୨ ଡିଗ୍ରୀ, ଭୁବନେଶ୍ବର ୩୪.୨ ଡିଗ୍ରୀ,ବାଲେଶ୍ବର ୩୩.୮ ଡିଗ୍ରୀ, ଚାନ୍ଦବାଲି ୩୩ ଡିଗ୍ରୀ ରେକର୍ଡ କରାଯାଇଛି।