ସଂଚାର ବ୍ୟୁରୋ: ପୁଣି ଓଡ଼ିଶାରେ ଆଳୁ ଚିନ୍ତା । ୨ ଦିନ ଭିତରେ ସରିଯିବ ଆଳୁ । ଓଡ଼ିଶାରେ ଘନଉଛି ଆଳୁ ସଂକଟ । ଜଟିଳ ହେଉଛି ସ୍ଥିତି । ଦାମ୍ ଖସୁନଥିବାବେଳେ ଏବେ ବଜାରରେ ନିଅଣ୍ଟିଆ ସ୍ଥିତି । ଦିନକୁ ଦିନ ବଜାରରେ କମୁଛି ଗଚ୍ଛିତ ଆଳୁ । ଆଳୁ ନଥିବାରୁ ଦାମ ମଧ୍ଯ ଉପରମୁହାଁ । ସ୍ଥିତି ଏପରି ହେଲାଣି ଯେ, ଦୁଇ ଦିନ ପରେ ଆଉ ଆଳୁ ମିଳିବ ନାହିଁ । ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାବେଳେ ୟୁପିରୁ ଆଳୁ ମଗାଇବା ବି ବନ୍ଦ କରିଦିଆଯାଇଛି । ଏଣୁ ଯେତିକି ଆଳୁ ଗଚ୍ଛିତ ରହିଛି ତାହା ଆଉ ଦୁଇଦିନ ହିଁ ଯିବ ବୋଲି ବ୍ଯବସାୟୀ କହିଛନ୍ତି । ବ୍ଯବସାୟୀଙ୍କ କହିବା ଅନୁସାରେ ୟୁପି ଆଳୁର ଗ୍ରହଣୀୟତା ଓଡ଼ିଶାରେ ନାହିଁ । ଆଳୁ ଶୀଘ୍ର ପଚିଯାଉଥିବାରୁ ବ୍ଯବସାୟୀ କ୍ଷତି ସହୁଛନ୍ତି । ରାଜ୍ୟରେ ବିଭିନ୍ନ ଶୀତଳଭଣ୍ଡାରରେ ଏବେ ପ୍ରାୟ ୧୫ ହଜାର ଟନ ଆଳୁ ମହଜୁଦ ଅଛି । ଯାହାକି ଅତି ବେଶୀରେ ଦୁଇ ଦିନ ଯିବ । ଏପଟେ ପଞ୍ଜାବରୁ ଆଳୁ ଆଣିବା ନେଇ ମନ୍ତ୍ରୀଙ୍କ ଘୋଷଣାକୁ କଟାକ୍ଷ କରାଯାଇଛି । ପଞ୍ଜାବରୁ ଆଳୁ କିଭଳି ଆସିବ, ସେ କଥା ମନ୍ତ୍ରୀ ଜାଣିଥିବେ ବୋଲି ବ୍ଯବସାୟୀ ମହାସଂଘ କହିଛି । ସେପଟେ ଚିରାଚରିତ ଭାବେ ଖାମଖିଆଲି ଉତ୍ତର ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ୟୁପି ଆଳୁ ଭଲ, ଏହା ପଶ୍ଚିମବଙ୍ଗ ଆଳୁ ଦର ସହ ସମାନ । ଅସାଧୁ ବ୍ୟବସାୟୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଆଜିଠୁ ଦର କମିବ ବୋଲି ମନ୍ତ୍ରୀ କହିଛନ୍ତି ।