ସଂଚାର ବ୍ୟୁରୋ: ମାତ୍ର କିଛି ଦିନର ବ୍ରେକ ପରେ ପୁଣି ରାଜ୍ଯରେ ଉତ୍କଟ ହୋଇଛି ଆଳୁ ସଙ୍କଟ। ଆଗକୁ ଆଉ ଦିନେ ଦୁଇ ଦିନ ପରେ ଆଳୁ ଖୋଜିଲେ ବି ମିଳିବନି। ୟୁପିରୁ ୧୪୦ ରୁ ୧୫୦ ଟ୍ରକ ଆଳୁ ଆସିଥିଲା। କିନ୍ତୁ ଏହି ଆଳୁ ଆସିବା ପରେ ପଚିବା ଆରମ୍ଭ କରିବା ସହ ସେହି ଆଳୁ ଏବେ ଶେଷ ହେବା ଉପରେ ।
କିନ୍ତୁ ୟୁପି ଆଳୁକୁ ନେଇ ବ୍ୟବସାୟୀ ବହୁ କ୍ଷତି ସହିଛନ୍ତି । ସେପଟେ ପଶ୍ଚିମବଙ୍ଗରୁ ଆସୁଥିବା ଚୋରା ଆଳୁ ବି ବନ୍ଦ । ରାଜ୍ୟରେ ବିଭିନ୍ନ ଶୀତଳଭଣ୍ଡାରରେ ଏବେ ୧୫ ରୁ ୧୭ ହଜାର ଟନ ଆଳୁ ମହଜୁଦ ଅଛି। ଯାହାକି ଅତି ବେଶୀରେ ଦୁଇ ତିନିଦିନ ଯିବ। ତା ପରେ ଆଳୁ ଖୋଜିଲେ ବି ମିଳିବନି ବୋଲି କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା।
ଆଳୁ ଆସି ନ ପାରିଲେ କଣ କରିବୁ ବୋଲି ପ୍ରଶ୍ନ କରିଛି ବ୍ୟବସାୟୀ ମହାସଂଘ । ବ୍ଯବସାୟୀ କ୍ଷତି ବରଦାସ୍ତ କରିବେନି ବୋଲି ସଫା ଶୁଣାଇଦେଇଛି ମହାସଂଘ । ସରକାର ଆଳୁ ମଗାଇଲେ ବ୍ୟବସାୟୀ ବିକ୍ରି କରିବେ। କିନ୍ତୁ ବ୍ୟବସାୟୀ ଆଉ ଆଳୁ ମଗାଇବେ ନାହିଁ। ଆଳୁ ମଗାଇ ଆଉ କ୍ଷତି ସହିବା ସ୍ତରରେ ବ୍ୟବସାୟୀ ନାହାନ୍ତି ବୋଲି ଖୋଲାଖୋଲି କହିଛି ମହାସଂଘ।
ସରକାର ୟୁପିରୁ କିମ୍ବା ପଞ୍ଜାବ ଯେଉଁଠି ଆଳୁ ଆଣନ୍ତୁ ଆମେ ବିକ୍ରି କରିବାକୁ ପ୍ରସ୍ତୁତ ବୋଲି କହିଛି ବ୍ୟବସାୟୀ ସଂଘ। ୟୁପିରୁ ଅଧିକ ବାଟ ହୋଇଯାଉଥିଲା । ଏବେ ପଞ୍ଜାବରୁ କେମିତି ଆଣିବେ ବୋଲି ପ୍ରଶ୍ନ କରିଛି ବ୍ଯବସାୟୀ ମହାସଂଘ । ମନ୍ତ୍ରୀଙ୍କ ସହ କିଛି ଆଲୋଚନା ହୋଇନାହିଁ । ପଶ୍ଚିମବଙ୍ଗ ଏକମାତ୍ର ବିକଳ୍ପ ବୋଲି କହିଛି ବ୍ଯବସାୟୀ ମହାସଂଘ ।
ବଜାରରେ ଆଳୁ ମିଳୁ ନଥିବାରୁ ଖୁଚୁରା ବ୍ୟବସାୟୀଙ୍କ ପାଖରେ ବହୁ ଭିଡ଼ ହେଉଛି । ତେଣୁ ସମ୍ପୃକ୍ତ ବ୍ୟବସାୟୀ ଲାଭ ନେଉଛି। ଦର ନିୟନ୍ତ୍ରଣ କରିବା ସରକାରଙ୍କ ଦାୟିତ୍ୱ । ଆଳୁ ସ୍ଥିତି ସ୍ୱାଭାବିକ କରିବା ସରକାରଙ୍କ ଦାୟିତ୍ୱ। ସରକାର ଯାହା କରିବେ ମହାସଂଘ ହାତ ଟେକି ଦେଇଛି ।