ସଂଚାର ବ୍ୟୁରୋ: ରାଜ୍ୟରୁ ଖୁବଶୀଘ୍ର ଦୂର ହେବ ଆଳୁ ସଂକଟ। ଉତ୍ତରପ୍ରଦେଶରୁ ଟ୍ରେନ୍ ଯୋଗେ ଓଡ଼ିଶା ଆସିବ ଆଳୁ । ଏନେଇ ସୂଚନା ଦେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ଏ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଥିବା ସେ କହିଛନ୍ତି ।
ତେବେ ଆଳୁ ସଙ୍କଟ ଦୂର ପାଇଁ ଗତ ଅଗଷ୍ଟ ୧୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟେଲିଫୋନ ଯୋଗେ ମମତାଙ୍କ ସହ ଆଲୋଚନା କରି ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ଦିଲ୍ଲୀରେ ନୀତି ଆୟୋଗ ବୈଠକ ବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ ହୋଇଥିଲା। ମାତ୍ର ଏହାର କିଛି ଦିନ ପରେ ପୁଣି ଆଳୁ ଯୋଗାଣ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ଏହାରି ଭିତରେ ରାଜ୍ୟରେ ଆଳୁ ସଂକଟ ଦୂର କରିବା ପାଇଁ ୟୁପିରୁ ଟ୍ରେନ୍ ଯୋଗେ ଆଳୁ ଆଣିବାକୁ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର ।