ସଂଚାର ବ୍ୟୁରୋ: ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ଫଳରେ ଦିନର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଉପକୂଳ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ସହରରେ ଦିନର ତାପମାତ୍ରା କମ ରହିଛି । ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଶନିବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ଘଡ଼ଘଡ଼ି ହୋଇପାରେ । ୩୦ରୁ ୪୦କିମି ବେଗରେ ପବନ ବି ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଶନିବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ଓ ଘଡ଼ଘଡ଼ି ଆଶଙ୍କା ଅଛି । ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରବିବାର ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବର୍ଷା ସହିତ ଘଡ଼ଘଡ଼ି ହୋଇପାରେ । ୭, ୮, ୯ ଓ ୧୦ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।
ସେହିପରି ଶୁକ୍ରବାର ରାଜ୍ୟର ସବୁ ସହରର ତାପମାତ୍ରା ୪୦ ଡିଗ୍ରୀ ତଳେ ଅଛି । ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସବୁଠୁ ଅଧିକ ୩୮.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।