ଭୁବନେଶ୍ୱର: ପ୍ରାଚୀନ କାଳରୁ ଓଡ଼ିଶା ଜଗତୀକରଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଶୁକ୍ରବାର ପ୍ରବାସୀ ଭାରତୀୟ ସମ୍ମେଳନର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହଜାର ହଜାର ବର୍ଷ ଧରି ଓଡ଼ିଶାରୁ ପ୍ରବାସୀ ଓଡ଼ିଆମାନେ ଶ୍ରୀଲଙ୍କା ଓ ଦକ୍ଷିଣ-ପୂର୍ବ ଏସିଆରେ ବାଣିଜ୍ୟ ବ୍ୟବସାୟ କରିଥିଲେ । କାର୍ତ୍ତିକ ମାସରେ ଓଡ଼ିଆମାନେ ବେପାର ବାଣିଜ୍ୟ ପାଇଁ ବିଦେଶ ଯାଇଥାନ୍ତି ସେଥିପାଇଁ ତ ଆମେ ପ୍ରବାସୀ ଭାରତୀୟ । ଓଡ଼ିଶାର ସଭ୍ୟତା, ସଂସ୍କୃତି ଓ ପରମ୍ପରା ଏବେ ବି ବିଶ୍ୱରେ, ବିଶେଷ କରି ସାଉଥ୍ – ଇଷ୍ଟ ଏସିଆରେ ଦେଖାଯାଉଛି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବୋଦୟ ପାଇଁ ଆହ୍ୱାନ ଦେଇଛନ୍ତି । ଭାରତ ସରକାରଙ୍କ ‘ଲୁକ୍ ଇଷ୍ଟ- ଆକ୍ଟ ଇଷ୍ଟ’ ନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ହୋଇଛି । ଓଡ଼ିଶାରେ ସ୍ୱାଭିମାନ ଓ ଗଣତନ୍ତ୍ରର ମୂଳ ଗଭୀରତା ରହିଛି । ଏହା ହେଉଛି ବୁଦ୍ଧଙ୍କ ଭୂମି, ଶାନ୍ତିର ଭୂମି । ସମଗ୍ର ବିଶ୍ୱରେ ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି । ଯେତେବେଳେ ଓଡିଶାରେ କେହି ରାଜା ନଥିଲେ, ସେହି ସମୟରେ ଆମ ଓଡିଶାରେ ଗଣତନ୍ତ୍ର ଥିଲା । ଆମର ସମୂହ ତ୍ୟାଗ ବା ବଳିଦାନ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବା ପାଇଁ ବାଧ୍ୟ କରିଥିଲା । ଏହି ଭୂମି ପୂର୍ବୋଦୟର ଉତ୍ପତ୍ତିସ୍ଥଳୀ ହେବ ।