ସଂଚାର ବ୍ୟୁରୋ: ମହଙ୍ଗା ପଡିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅରୁଚିକର ଟିପ୍ପଣୀ। ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ଜାରି ହୋଇଛି ନୋଟିସ। ମହାତ୍ମା ଗାନ୍ଧୀ ପାକିସ୍ତାନର ଜାତିର ପିତା ବୋଲି ଅଭିଜିତ କହିବା ପରେ ତାଙ୍କ ବିରୋଧରେ ଲିଗାଲ ନୋଟିସ ପଠାଇଛନ୍ତି ପୁଣେର ଜଣେ ଆଇନଜୀବୀ। ନୋଟିସରେ ଏହି ମନ୍ତବ୍ଯ ଲାଗି କ୍ଷମା ମାଗିବାକୁ କହିଛନ୍ତି ଆଇନଜୀବୀ। ମନୀଷ ଦେଶପାଣ୍ଡେ ନାମକ ଜଣେ ବ୍ଯକ୍ତିଙ୍କ ପକ୍ଷରୁ ଏହି ନୋଟିସ ଜାରି କରିଛନ୍ତି ଆଇନଜୀବୀ ଅସିମ ସୋର୍ଦ୍ଦେ। ଯଦି ଅଭିଜିତ କ୍ଷମା ନ ମାଗନ୍ତି ତେବେ ଅପରାଧିକ ମାମଲା ରୁଜୁ ହେବ ବୋଲି ଧମକ ଦେଇଛନ୍ତି ଆଇନଜୀବୀ। ଗତମାସରେ ଅଭିଜିତ କହିଥିଲେ- ସଂଗୀତଜ୍ଞ ଆର.ଡି. ବର୍ମନ ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କଠାରୁ ବଡ । ସଂଗୀତ ଜଗତର ରାଷ୍ଟ୍ରପିତା ହେଉଛନ୍ତି ଆର. ଡି. ବର୍ମନ। ମହାତ୍ମା ଗାନ୍ଧୀ ହେଉଛନ୍ତି ପାକିସ୍ତାନର ଜାତିର ପିତା। ସେ କହିଥିଲେ- ଭାରତରୁ ପାକିସ୍ତାନ ତିଆରି ହୋଇଛି। ପରେ ମହାତ୍ମା ଗାନ୍ଧୀଙ୍କୁ ଭୁଲ୍ କ୍ରମେ ଭାରତରେ ଜାତିର ପିତା ସମ୍ବୋଧନ କରାଯାଉଛି। ପାକିସ୍ତାନ ଗଠନ ଲାଗି ମହାତ୍ମା ଗାନ୍ଧୀ ହିଁ ଦାୟୀ। ନୋଟିସରେ କୁହାଯାଇଛି- ଯଦି ଅଭିଜିତ କ୍ଷମା ନ ମାଗିବେ ତେବେ ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୫୩ ଓ ଧାରା ୩୫୬ ବିରୋଧରେ ମାମଲା ରୁଜୁ ହେବ।