ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ୍ ନ କରିବାକୁ ନିର୍ଦ୍ଦେଶ ଦେଲେ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ । ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଶ୍ବସ୍ତି ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନ କରିବାକୁ ନିର୍ଦ୍ଦେଶ ଦେବା ସହ କାଳବୈଶାଖୀ କାରଣରୁ କିଛି ସ୍ଥାନରେ ବିଦ୍ୟୁତ୍ ବ୍ୟାହତ ହେଉଥିଲେ ବି ତୁରନ୍ତ ସମାଧାନ କରାଯାଉଛି ବୋଲି ସେ କହିଛନ୍ତି ।
ଖୁଣ୍ଟି ପଡ଼ିଗଲେ ଅଳ୍ପ ସମୟ ମଧ୍ୟରେ ସମାଧାନ କରାଯାଇ ବିଦ୍ୟୁତ ଯୋଗାଇ ଦିଆଯାଉଛି । ଚଳିତ ଥର ଭଲ ଭାବରେ ବିଦ୍ୟୁତ୍ ପରିଚାଳନା କରାଯାଉଛି । ସେହିପରି ବକେୟା ବିଦ୍ୟୁତ୍ ବିଲ୍ ପ୍ରଦାନ କରିନଥିଲେ ବି ଏବେ ବିଦ୍ୟୁତ୍ ସଂଯୋଗ କଟାଯିବ ନାହିଁ । କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଦ୍ୟୁତ ବିଲ ପ୍ରଦାନ କରିବାକୁ ପଡ଼ିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ ।
ଅନ୍ୟପଟେ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍କୁଲ ବନ୍ଦ ନେଇ ଆସିପାରେ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ମେ ୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେହିପରି ଖରା ବଢିଲେ ଆବଶ୍ୟକ ସ୍ଥଳେ ଅଙ୍ଗନୱାଡ଼ି ଛୁଟି ହେବ ।
ସେପଟେ ଆଗାମୀ ପାଞ୍ଚ ଦିନ ପାଇଁ ହିଟୱେଭ୍ ଓ ତିନି ଦିନ ସିଭିଅର ହିଟ୍ ୱେଭ୍ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ସିଭିୟର ହିଟ ୱେଭ୍ ନେଇ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ବୌଦ୍ଧ,ଝାରସୁଗୁଡ଼ା, ବଲାଙ୍ଗିର,ସୁନ୍ଦରଗଡ଼, ସମ୍ବଲପୁର । ଏଥିସହ 4 ଜିଲ୍ଲାକୁ ୟେଲୋ ଆଲର୍ଟ, 11 ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ନେଇ ୟଲୋ ଆଲର୍ଟ ଜାରି କରାଯାଇଛି ।