ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଂଚାୟତ ସରକାରୀ ଉଚ୍ଚବିଦ୍ୟାଳୟ ନିକଟରୁ ୯ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ଘଟଣା। ଆସିଲା ହତ୍ୟା ଅଭିଯୋଗ। ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି । ଦୋଷୀଙ୍କୁ ନ ଧରିବା ଯାଏଁ ଶବ ଛାଡ଼ିବୁ ନାହିଁ ବୋଲି ପରିବାର ଲୋକେ ଜିଦ ଧରିଛନ୍ତି ।
ଘଟଣା ସ୍ଥଳରେ ବିଜେଡି ନେତା ପ୍ରଦୀପ ମାଝୀ, କଂଗ୍ରେସ ନେତା ଭୁଜବଳ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ଓ ସମାଜସେବୀ କାଦମ୍ବିନୀ ତ୍ରିପାଠୀ ପହଞ୍ଚିଛନ୍ତି । ପରିବାର ଓ ପୋଲିସ ପ୍ରଶାସନ ସହିତ ଆଲୋଚନା ଜାରି ରହିଥିବା ବେଳେ ଗ୍ରାମବାସୀଙ୍କ ତରଫରୁ କଣ୍ଟାଗାଁ – ତେନ୍ତୁଳିଖୁଣ୍ଟି ରାସ୍ତା ଅବରୋଧ କରାଯାଇଛି । ଦୋଷୀଙ୍କୁ ଧରିବା ପାଇଁ ବିଜେଡି ନେତା ପ୍ରଦୀପ ମାଝୀ ଦାବି କରିଛନ୍ତି ।
ଗତକାଲି ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ଅବସରରେ ଆଦିବାସୀଙ୍କ ଘରକୁ ଯାଇ ଭୋଜନ କରି ଆଦିବାସୀଙ୍କୁ ସମ୍ମାନ ଦେଉଥିବାର କଥା କହିବାର ଚବିଶ ଘଣ୍ଟା ନ ପୂରୁଣୁ ଏହି ଘଟଣା ବିଜେପି ସରକାରଙ୍କ ପ୍ରତି ଅପରାଧୀଙ୍କ ଭୟ ନ ଥିବା ଦର୍ଶାଉଥିବା କହିଛନ୍ତି ପ୍ରଦୀପ । କିଛି ଦିନ ପୂର୍ବେ ରେମୁଣାର ଦଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ଯା ଘଟଣା ମନରୁ ନ ଯାଉଣୁ ନବରଙ୍ଗପୁରର ଏହି ଘଟଣା ପୋଲିସ ଓ ରାଜ୍ଯ ସରକାରଙ୍କ ପାରିବା ପଣିଆ ପ୍ରତି ପ୍ରଶ୍ନ ଉଠାଇଛି ବୋଲି କହିଛନ୍ତି ପ୍ରଦୀପ ମାଝୀ। ଚବିଶ ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ କରାନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ପ୍ରଦୀପ ମାଝୀ ।