ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି ଅପରାହ୍ଣରେ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ୨୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୧୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦ୍ଘାଟନ କରିଥିବା ବେଳେ ୧୨୦ କୋଟି ଟଙ୍କା ବ୍ୟୟରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ୭୬ କୋଟି ଟଙ୍କାର ୧୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଯୋରନ୍ଦା ମହିମାଗାଦିର ଉନ୍ନତୀକରଣ ତଥା ଆଇନସ୍ ଉଇଣ୍ଡ୍ସ ଇଣ୍ଡଷ୍ଟ୍ରି ପାଇଁ ୪୦୦୦ କୋଟି ଟଙ୍କାର ପ୍ରକଳ୍ପ ସମେତ ୫୦ ହଜାର କୋଟିରେ ହେବାକୁ ଥିବା ୪ଟି ଶିଳ୍ପ ପ୍ରକଳ୍ପ ଭେଟି ଦେଇଛନ୍ତି।
ସହର ଉପକଣ୍ଠ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଅପରାହ୍ଣ ୪ଟା ୧୫ ମିନିଟ୍ରେ ପହଞ୍ଚିଥିଲେ। ଏହା ପୂର୍ବରୁ ସହର ଉପକଣ୍ଠ ବନମାଳୀପ୍ରସାଦ ଠାରେ ୧୨୦ କୋଟି ଟଙ୍କାର ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଢେଙ୍କାନାଳରେ ୫୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ହେବାକୁ ଥିବା ଶିଳ୍ପ ପ୍ରକଳ୍ପ ଓଡ଼ିଶାର ବିକାଶ ଧାରାରେ ଆଉ ଏକ ସ୍ରୋତ ଯୋଡ଼ି ଦେଇଛି। ଏଠାରେ ୩୦ ହଜାର କୋଟି ଟଙ୍କାରେ କେବଳ ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଢେଙ୍କାନାଳକୁ ଓଡ଼ିଶାର ସୌରଶକ୍ତି ସମୃଦ୍ଧ ଅଗ୍ରଣୀ ଜିଲ୍ଲା କରିବା ତାଙ୍କ ସରକାରର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୫୦ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପ ଯୋଗୁଁ ପ୍ରାୟ ୨୬ ହଜାର ୪୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସରକାରର ବର୍ଷେ ପୂରିବାକୁ ଆଉ ୮ ଦିନ ବାକି ରହିଛି।