ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଏଥି ସହିତ ତାଙ୍କର ପରିବାର ଲୋକେ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଏହି ଅବସରରେ ତ୍ରିବେଣୀ ସଂଗମରେ ଗଂଗା ଆରତୀ କରିଛନ୍ତି ଶ୍ରୀ ମାଝୀ । ଉତ୍ତର ପ୍ରଦେଶ ଗସ୍ତର ପ୍ରଥମ ଦିନରେ ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇଛନ୍ତି ଶ୍ରୀ ମାଝୀ। ଉତ୍ତର ପ୍ରଦେଶ ୩ ଦିନ ଗସ୍ତରେ ଅଛନ୍ତି ଶ୍ରୀ ମାଝୀ ।
ଓଡ଼ିଶା ତଥା ଦେଶର କଲ୍ୟାଣ ପାଇଁ ମା’ ଗଙ୍ଗା, ମା’ ଯୁମୁନା ଓ ମା’ ସରସ୍ବତୀଙ୍କ ନିକଟରେ ପ୍ରାର୍ଥନା କରି ଆଶୀର୍ବାଦ ମାଗିଛି ବୋଲି କହିଛନ୍ତି । ମହାକୁମ୍ଭ ମେଳା ପାଇଁ ଉତ୍ତର ପ୍ରଦେଶ ସରକାର ଭଲ ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କର ଟିମ୍ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ‘ବିକଶିତ ଭାରତ’କୁ ଆଗେଇ ନେବା ପାଇଁ ଏହା ମଧ୍ୟ ଏକ ବଳିଷ୍ଠ ଉଦ୍ୟମ ବୋଲି ସେ କହିଛନ୍ତି ।