ସଂଚାର ବ୍ୟୁରୋ: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତାକାଲି ଅପରାହ୍ନ ୪ଟା ୨୦ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ଵର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାପରେ ସେ ରାଜଭବନ ଯାଇ ସେଠାରେ କିଛି ସମୟ ବିଶ୍ରମ କରିବେ । ଏହାପରେ ଅପରାହ୍ନ ୬ଟା ୨୦ ସମୟରେ ପ୍ରଧାନମନ୍ତ୍ରୀ ରାଜଭବନରୁ ବାହାରି ବିଜେପି କାର୍ଯ୍ୟାଳୟରେ ପହଞ୍ଚିବେ । ସେଠାରେ ପ୍ରାୟ ୨ ଘଣ୍ଟା ଧରି ଦଳୀୟ ବୈଠକରେ ଯୋଗଦେବେ । ଏହାପରେ ରାଜଭବନ ଫେରି ରାତ୍ରିଯାପନ କରିବେ । ପରବର୍ତ୍ତୀ ଦିନ ଅର୍ଥାତ ନଭେମ୍ଵର ୩୦ ଓ ଡିସେମ୍ଵର ୧ ତାରିଖରେ ଲୋକସେବା ଭବନରେ ଅନୁଷ୍ଠିତ ଡିଜିପି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଆସନ୍ତାକାଲି ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଦିନ ୧ଟା ୩୫ ମିନିଟରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ଅମିତ ଶାହ ଲୋକସେବା ଭବନରେ ପହଞ୍ଚି ଡିଜିପି ସମ୍ମିଳନୀକୁ ଉଦଘାଟନ କରିବେ । କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟାବସ୍ଥା ଗ୍ରହଣ କରାଯାଇଥିବା ବେଳେ କାରକେଡ ରିହରସେଲ୍ କରାଯାଉଛି ।