ସଂଚାର ବ୍ୟୁରୋ: ଏପର୍ଯ୍ୟନ୍ତ ଭାରତ ସେପରି କିଛି ବଡ଼ ଆକ୍ସନ ନେଇନି । କିନ୍ତୁ ଝାଳନାଳ ହେଲାଣି ପାକିିସ୍ତାନ। ଏପରି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ମୋଦି ପାକିସ୍ତାନକୁ ଏପରି ଟାର୍ଗେଟ କରିଛନ୍ତି। ଗାନ୍ଧୀନଗରରେ ଏକ ସାଧାରଣ ସଭାରେ ମୋଦି ଏହା କହିଛନ୍ତି। ଭାରତ ସିନ୍ଧୁ ଜଳଚୁକ୍ତିକୁ ସସପେଣ୍ଡ କରିଛି। ୧୯୬୦ରେ ସିନ୍ଧୁ ଜଳଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଏଥିରେ ଉଲ୍ଲେଖ ଥିଲା ଜାମ୍ମୁ ଓ କାଶ୍ମୀରରେ ଯେଉଁ ଡ୍ଯାମ ନିର୍ମାଣ କରାଯାଇଛି ତାକୁ ସଫା କରାଯିବ ନାହିଁ । ସେଥିପାଇଁ ୬୦ ବର୍ଷ ଯାଏଁ ଡ୍ଯାମର ଗେଟ ଖୋଲାଯାଇନଥିଲା । ଦେଖିବାକୁ ଗଲେ ଭାରତ ଏଯାଏଁ ସେପରି କିଛି ବଡ଼ ଆକ୍ସନ ନେଇନି । କେବଳ ଗେଟ ଖୋଲି ସଫେଇ କରିଛି । ସେପଟେ କିନ୍ତୁ ଏତିକିରେ ବନ୍ଯା ପ୍ରଳୟ ଆସିଯାଉଛି କହି ପ୍ରଧାନମନ୍ତ୍ରୀ ଏକରକମ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । ପାକିସ୍ତାନ ଜାଣିଛି ଭାରତ ସହ ଯୁଦ୍ଧ ହେଲେ ତାର ପରାଜୟ ନିଶ୍ଚିତ। ପାକିସ୍ତାନ କେବଳ ନିରୀହ ଲୋକଙ୍କୁ ମାରୁଛି । ଏଥର କିନ୍ତୁ ଭାରତ ଆତଙ୍କୀ କଣ୍ଟାକୁ କାଢିବାରେ ସଫଳ ହୋଇଛି । ମାତ୍ର ବାଇଶ ମିନିଟରେ ୯ଟି ଆଡ୍ଡାକୁ ଧ୍ବସ୍ତ କରିଛି ସେନାବାହିନୀ । ଭାରତ ବସୁଧୈବ କୁଟୁମ୍ବକମରେ ବିଶ୍ବାସ କରେ । ବିଶ୍ବର ପ୍ରଗତି ଚାହେଁ ଭାରତ । ଦେଶର ବିକାଶରେ ବ୍ରତୀ । କାହା ସହିତ ଶତ୍ରୁତା ଚାହେଁ ନାହିଁ । ବିପଦବେଳେ ଭାରତ ଅନ୍ଯକୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଥାଏ । କିନ୍ତୁ ଦରକାର ପଡିଲେ ଇଟାର ଜବାବ ପଥରରେ ଦେବୁ ବୋଲି କହି ସତର୍କ କରାଇଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।.. ..