ଝାରଖଣ୍ଡ : ଆଜି ଝାରଖଣ୍ଡରେ ରୋଡ ଶୋ’ କରିବା ସହ ବୋକାରୋବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଦବୋଧନ ଆରମ୍ଭରୁ ହିଁ ହେମନ୍ତ ସୋରେନ୍ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ସୋରେନ୍ ସରକାର ଘୋଟାଲା ସରକାର, ଝାରଖଣ୍ଡବାସୀଙ୍କୁ ଲୁଟୁଛନ୍ତି ବୋଲି କହି ସରକାରଙ୍କୁ କଟାକ୍ଷ କରିଛନ୍ତି ମୋଦି । ଏଥିସହିତ ବେଆଇନ ଖଣି ଘୋଟାଲାରେ ପ୍ରସଙ୍ଗ ଉଠାଇ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ଏବଂ କଂଗ୍ରେସ ମିଳିତ ଭାବେ ଲୋକଙ୍କୁ ଲୁଟିଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୋଦି ।
ଏନେଇ ମୋଦି କହିଛନ୍ତି, ସୋରେନ୍ ସରକାର ଝାରଖଣ୍ଡକୁ ଲୁଟିଛନ୍ତି । ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି, ଆମେ ଥରେ ଏଠି ସରକାର ଗଠନ କଲା ପରେ, ଆମ ସରକାର କୋର୍ଟରେ ଲଢିବ, ଯିଏବି ଏଥିରେ ଜଡିତ ଥିବ ସମସ୍ତଙ୍କୁ କଠୋର ଦଣ୍ଡ ମିଳିବ । ଯେଉଁ ଟଙ୍କା ଲୁଟ ହୋଇଛି, ତାହା ଆପଣଙ୍କର ଅଧିକାର, ସେସବୁ ଆପଣଙ୍କ ହିତରେ, ଆପଣଙ୍କ ପିଲାଙ୍କ ଭବିଷ୍ୟତରେ ଲାଗିବ ବୋଲି ଝାରଖଣ୍ଡବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି ।