ସଂଚାର ବ୍ୟୁରୋ: ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବ ଘଟଣାକୁ ନେଇ ମହାରାଷ୍ଟ୍ର ରାଜନୀତି ଚେତିଥିଲା । ଏହାକୁ ନେଇ ବିରୋଧାଭାଷ ସହ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଥିଲା । ମହାରାଷ୍ଟ୍ରର ସିନ୍ଧୁବର୍ଗରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ମୂର୍ତ୍ତି ଭୁଶୁଡ଼ିବା ଘଟଣା। ଏହି ମାମଲାରେ ୫ ଦିନ ପରେ ଗିରଫ ହେଲେ କଣ୍ଟ୍ରାକ୍ଟର ଚେତନ ପାଟିଲ। ଆଜି ଭୋରରୁ ପୋଲିସ ତାଙ୍କୁ ଗିରଫ କରିଛି । ତେବେ କୋହ୍ଲାପୁର କ୍ରାଇମବ୍ରାଞ୍ଚ ଆଜି ଭୋରରୁ ମାଲବନ ପୋଲିସ୍ ସହ ଜଏଣ୍ଟ ଅପରେସନ କରି ଏହି ଗିରଫଦାରୀ କରିଛି।ଏହାପରେ କୋହ୍ଲାପୁର ପୋଲିସ୍ ଅଭିଯୁକ୍ତଙ୍କୁ ମାଲବନ ପୁଲିସ୍କୁ ହସ୍ତାନ୍ତର କରିଛି।
ତେବେ ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରିଥିବା ବେଳେ ଆର୍କିଟେକ୍ ଜଗଦୀପ ଆପେଟ ଓ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଉଭୟଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା । ଉଭୟଙ୍କ କାର୍ଯ୍ୟରେ ଅବହେଳା ହେତୁ ଏପରି ଏକ ଅଘଟଣ ଘଟିଥିବା ଉଲ୍ଲେଖ କରାଯାଇଥିଲା।ତେବେ ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ଭାରତୀୟ ନୌସେନା ରାଜ୍ୟ ସରକାରଙ୍କ ସହଯୋଗରେ ଏହି କାମ ସମ୍ପନ୍ନ ହୋଇଥିଲା। ଉକ୍ତ ଦିନକୁ ନୌସେନା ଦିବସ ଭାବେ ଘୋଷଣା କରାଯିବା ସହ ପ୍ରଥମ ଥର ଏହାକୁ ଧୁମଧାମରେ ପାଳନ କରାଯାଇଥିଲା। ହେଲେ ଏହାକୁ ବର୍ଷେ ନ ପୁରୁଣୁ ଗତ ସୋମବାର ତାହା ଭୁଶୁଡ଼ି ପଡ଼ିଥିଲା। ଏନେଇ ମାଲଭାନ ପୁଲିସ୍ ପୂର୍ତ୍ତ ବିଭାଗର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨.୪ କୋଟି ଟଙ୍କା ନୌସେନାକୁ ଦିଆଯାଇଥିଲା। ନିର୍ମାଣରେ ନିମ୍ନ ମାନର ଜିନିଷ ବ୍ୟବହାର କରାଯାଇଥିଲା। କଳଙ୍କି ଲାଗି ଥିବା ନଟ ଓ ବୋଲ୍ଟୋ ପ୍ରତିମୂର୍ତ୍ତିରୁ ମିଳିଛି । ସେପଟେ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ପରେ ରାଜନୈତିକ ହଟଚମଟ ଆରମ୍ଭ ହୋଇ ଯାଇଥିଲା।