ସଂଚାର ବ୍ୟୁରୋ: ଏନସିପି ନେତା ତଥା ବାନ୍ଦ୍ରା ୱେଷ୍ଟର ପୂର୍ବତନ ବିଧାୟକ ବାବା ସିଦ୍ଦିକଙ୍କ ହତ୍ଯାକୁ ନେଇ ତେଜିଲା ରାଜନୀତି। ୧୨ ତାରିଖ ରାତିରେ ପୁଅ ଜିସାନଙ୍କ କାର୍ଯ୍ୟାଳୟ ଆଗରେ ହାଇପ୍ରୋଫାଇଲ ମର୍ଡରକୁ ନେଇ ମହାରାଷ୍ଟ୍ର ରାଜନୀତି ହଲଚଲ। ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଏହି ହତ୍ଯାକୁ ନେଇ ଅଡୁଆରେ ଏକନାଥ ସିନ୍ଦେ ସରକାର। ଏହି ଘଟଣା ଲାଗି ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗ ନିଜକୁ ଦାୟୀ କରିଥିବାବେଳେ ବଲିଉଡ ତାରକା ସଲମାନ ଖାଁ ଓ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ସହ ସିଦ୍ଦିକଙ୍କ ସମ୍ପର୍କ ଥିବାରୁ ତାଙ୍କୁ ହତ୍ଯା କରାଗଲା ବୋଲି ବିଷ୍ଣୋଇ ଗ୍ଯାଙ୍ଗର ଜଣେ ସଦସ୍ଯ ଫେସବୁକରେ ପୋଷ୍ଟ କରିଛନ୍ତି। ସେପଟେ ହତ୍ଯା ଘଟଣାରେ ହରିୟାଣାର ଗୁରୁମାଇଲ ସିଂ ଓ ଉତ୍ତରପ୍ରଦେଶର ଧର୍ମରାଜ କାଶ୍ଯପଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଏସପ୍ଲାନେଡ କୋର୍ଟରେ ହାଜର ପରେ ୭ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ଘଟଣାରେ ତୃତୀୟ ଅଭିଯୁକ୍ତ ଶିବ କୁମାର ଗୌତମ ବୋଲି ସୂଚନା ମିଳିଛି।
ହତ୍ଯାକାଣ୍ଡ ନେଇ ଓରଲି ବିଧାୟକ ଆଦିତ୍ଯ ଠାକରେ ରାଜ୍ଯ ସରକାରଙ୍କୁ ସମାଲୋଚନା କରିଛନ୍ତି। ହତ୍ଯା ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ନାନା ପାଟୋଲ। ବର୍ତ୍ତମାନ ସୁଦ୍ଧା କେତେ ମନ୍ତ୍ରୀଙ୍କୁ ହତ୍ଯା କରାଯାଇଛି ତାହାର ତାଲିକା ସେ ଦେଇଛନ୍ତି। ସେହିପରି ଏନସିପି (ଏସପି) ନେତା ଶରଦ ପାୱାର ଓ କଂଗ୍ରେସ ନେତା ତାରିକ ଅନୱର ବି ରାଜ୍ଯ ସରକାରଙ୍କୁ କରିଛନ୍ତି ସମାଲୋଚନା। ଦିଲ୍ଲୀର ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି- ଦେଶରେ ଗ୍ଯାଙ୍ଗଷ୍ଟର ଶାସନ ଲାଗି ଉଦ୍ଯମ ଚାଲିଛି। ତେଣେ ବିହାର ଗୋପାଳଗଞ୍ଜ ଅନ୍ତର୍ଗତ ମାଝାରେ ଥିବା ସିଦ୍ଦିକଙ୍କ ଜନ୍ମସ୍ଥାନରେ ଶୋକର ବାତାବରଣ ଖେଳିଛି। ୫ ଦଶନ୍ଧି ତଳେ ସିଦ୍ଦିକଙ୍କ ବାପା ଅବଦୁଲ ରହିମ ସିଦ୍ଦିକ ବିହାରରୁ ମୁମ୍ବାଇ ଚାଲିଯାଇଥିଲେ। ପୂର୍ବରୁ ବିଷ୍ଣୋଇ ଗ୍ଯାଙ୍ଗର ଜଣେ ସଦସ୍ଯ ରୋହିତ ଗୋଦାରା କହିଥିଲେ- ସଲମାନ ଖାଁଙ୍କ ଜଣେ ବନ୍ଧୁ ହେଉଛନ୍ତି ଗ୍ଯାଙ୍ଗର ଶତ୍ରୁ। ଘଟଣାର ତଦନ୍ତ ଲାଗି ଦିଲ୍ଲୀର ଏକ ପୋଲିସ ଟିମ୍ ମଧ୍ୟ ମୁମ୍ବାଇ ଯିବ ବୋଲି ଜଣାପଡ଼ିଛି।