ସଂଚାର ବ୍ୟୁରୋ: ଆଜି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଶେଷ ବର୍ଷା ନ ହେବାର ସମ୍ଭାବନା ରହିଛି। ଲଘୁଚାପ ଓଡ଼ିଶାଠାରୁ ଦୂରରେ ରହିବାକୁ ଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ କମ୍ ରହିବ। ତେବେ ଏହି ଲଘୁଚାପ ଯୋଗୁଁ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ଶୁକ୍ରବାର ଉତ୍ତର ଓ ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟରେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ। ସମ୍ଭବତଃ ୬ ଓ ୭ ତାରିଖରେ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣରେ ହାଲୁକା ବର୍ଷା ହୋଇପାରେ। ୧୧ ଓ ୧୨ରେ ପଶ୍ଚିମ ଓଡ଼ିଶଆରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ସମଗ୍ର ଉପକୂଳରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଥିବା ବେଳେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପଶ୍ଚିମବଙ୍ଗ ଉପରେ ବୁଧବାରଠାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।