ସଂଚାର ବ୍ୟୁରୋ: ଆସନ୍ତାକାଲି ଶ୍ରାବଣ ମାସର ଚତୁର୍ଥ ସୋମବାର । ମହାଦେବଙ୍କ ମସ୍ତକରେ ଜଳଲାଗି କରିବେ ବୋଲବମ ଭକ୍ତ । ଏଥିପାଇଁ ବିଭିନ୍ନ ନଦୀରୁ ଜଳଭାର ଉଠାଇ ଶୈବପୀଠ ଅଭିମୁଖେ କାଉଡ଼ିଆ । କଟକ ଗଡଗଡିଆ ମହାନଦୀ କୂଳରେ କାଉଡିଆଙ୍କ ଲାଗିଛି ଭିଡ । ସକାଳୁ ସକାଳୁ ସୁଦୂର ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ଭୁବନେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଯାଜପୁର ରୁ ଶହ ଶହ ଭକ୍ତ ଆସି ନଦୀରେ ବୁଡ ପକାଇ ପୂଜାର୍ଚ୍ଚନା କରି ଲିଙ୍ଗରାଜ, ସିଦ୍ଧେଶ୍ଵର, ଧବଳେଶ୍ଵର ପୀଠ ଅଭିମୁଖେ ବାହାରିଛନ୍ତି । ପାଗ ଅନୁକୂଳ ରହୁଥିବାରୁ ବାବାଙ୍କ ପାଖକୁ ଯାତ୍ରା ଭଲରେ ଯିବ ବୋଲି ସମସ୍ତେ ଆଶା ରଖିଛନ୍ତି । ଭକ୍ତଙ୍କ ସୁରକ୍ଷା ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସ ୨୪ ଘଣ୍ଟା ପଇଁତରା ମାରୁଛନ୍ତି । ନଦୀ କୂଳରେ ବୋଟ ମୁତୟନ କରାଯାଇ ଗଭୀର ଜଳ ଭିତରକୁ ପ୍ରବେଶ ନ କରିବାକୁ ବୋଲବମ ଭକ୍ତଙ୍କୁ ସଚେତନ କରାଯାଇଛି ।