ସଂଚାର ବ୍ୟୁରୋ: ଅସ୍ତରଙ୍ଗ ଦେବୀ ମୁହାଣରୁ ମାଛ ଧରିବାକୁ ଯାଇ ସମୁଦ୍ରରେ ଫସିରହିଛି ଟୁଇଟି ଟ୍ରଲର । ୪୮ ଘଣ୍ଟା ବିତିଥିଲେ ମଧ୍ଯ ଟ୍ରଲର ଏଯାଏଁ ଉଦ୍ଧାର ହୋଇପାରିନାହିଁ । ଫଳରେ ସେଥିରେ ୧୨ ଜଣ ମତ୍ସ୍ଯଜୀବୀ ମଧ୍ଯ ଫସିରହିଛନ୍ତି । ଦେବୀ ମୁହାଣଠାରୁ ତିନି କିଲୋମିଟର ଦୂରରେ ଫସିରହିଥିବା ସୂଚନା ମିଳିଛି । ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ଯଜୀବୀଙ୍କୁ ବାରଣ କରାଯାଇଛି । ତେବେ ନୂଆଗଡ ଜେଟି ନିକଟରୁ ମାଆ କାଳୀ ଓ ମାଆ ପାର୍ବତୀ ବୋଟରେ ୧୨ ଜଣ ମତ୍ସ୍ଯଜୀବୀ ମାଛ ଧରିବାକୁ ଯାଇଥିଲେ । ଦେବୀ ମୁହାଣ ନିକଟରୁ ୩ କିଲୋମିଟର ଦୂରରେ ମାଛ ଧରୁଥିବା ବେଳେ ହଠାତ ଉଭୟ ବୋଟର ଇଞ୍ଜିନ ଖରାପ ହୋଇଯାଇଥିଲା । ଫଳରେ ସେବେଠୁ ସମୁଦ୍ରରେ ଫସିରହିଛନ୍ତି ମତ୍ସ୍ଯଜୀବୀ । ସମସ୍ତଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ଉଦ୍ଯମ ଜାରି ରଖିଥିବାବେଳେ ଏଯାଏଁ ସଫଳ ହୋଇନାହିଁ । ସମୁଦ୍ର ଅଶାନ୍ତ ରହିଥିବାରୁ ଫସିଥିବା ଟ୍ରଲ ନିକଟକୁ ଯିବା ସମ୍ଭବ ହେଉନାହିଁ ବୋଲି ମତ୍ସ୍ଯ ଅଧିକାରୀ କହିଛନ୍ତି । ଅଶାନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ହେଲେ ୧୮ରୁ ୨୦ଟନ ବିଶିଷ୍ଟ ବୋଟର ଆବଶ୍ୟକତା ରହିଛି, କିନ୍ତୁ ନୂଆଗଡ ସାମୁଦ୍ରିକ ଥାନାରେ ଥିବା ସ୍ପିଡ ବୋଟର ଏପରି କ୍ଷମତା ନାହିଁ । ୨୦୦୮ ମସିହାର ଏହି ବୋଟଚି ୧୨ ଟନ କ୍ଷମତା ବିଶିଷ୍ଟ । ଏଣୁ ଉଦ୍ଧାର କାର୍ଯ୍ଯ କରିବାକୁ ପାରାଦୀପ କୋଷ୍ଟଗାର୍ଡଙ୍କୁ ସୂଚନା ଦିଆଯାଇଛି ।

