ସଂଚାର ବ୍ୟୁରୋ: କୋଲକାତାର ବ୍ଲୋଚମାନ ଷ୍ଟ୍ରିଟରେ ବିସ୍ଫୋରଣ। ଏଥିରେ ଜଣେ ୫୮ ବର୍ଷୀୟ ଜରି ଗୋଟାଳିଙ୍କ ମୃତ୍ୟୁ ହୋଇଛି। ଆଜି ଦିନ ପ୍ରାୟ ୨ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ସେହି ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ରାସ୍ତାର ଏକ ପ୍ରବେଶ ପଥରେ ସେମାନେ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ଦେଖିଥିଲେ। ତୁରନ୍ତ ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରାଉ କରିଥିଲେ। ଏହାପରେ ବୋମା ନିଷ୍କ୍ରିୟକାରୀ ଟିମକୁ ଯାଞ୍ଚ ପାଇଁ ଡକାଯାଇଥିଲା। ବୋମା ନିଷ୍କ୍ରିୟକାରୀ ଟିମ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିବା ପ୍ଲାଷ୍ଟିକ ବ୍ୟାଗକୁ ଯାଞ୍ଚ କରିଥିଲା।ସୁରକ୍ଷାକର୍ମୀଙ୍କ ଯାଞ୍ଚ ପରେ ରାସ୍ତାରେ ପୁଣି ଥରେ ଯାତାୟାତ ଆରମ୍ଭ କରାଯାଇଥିଲା। ବିସ୍ଫୋରଣର କାରଣ ଏଯାଏ ଜଣାପଡ଼ିନି। ବିସ୍ଫୋରଣ କାହିଁକି ଓ କେମିତି ହେଲା, ତା’ର ଯାଞ୍ଚ କରୁଛି ଫରେନସିକ ଟିମ। ସେପଟେ ଏହି ବସ୍ତା କେଉଁଠାରୁ ଆସିଲା ସେ ନେଇ ପୁଲିସ ତଦନ୍ତ କରିବା ସହ ଆଖାପାଖରେ ଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ ଆରମ୍ଭ କରିଛି ।ବିସ୍ଫୋରଣ ଘଟଣାର ତଦନ୍ତ ଏନଆଇଏ ଦ୍ଵାରା କରିବାକୁ ଦାବି ହୋଇଛି ।