ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ହେଲେ ଜୋରଦାର ବିରୋଧ ସହ କରାଯିବ ଗୋବର ମାଡ଼ । ଏପରି ଚେତାବନୀ ଦେଇଛି କଳିଙ୍ଗ ସଂସ୍କୃତି ସୁରକ୍ଷା ମଞ୍ଚ । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ମଞ୍ଚ । ଏନେଇ ମଞ୍ଚର ଆବାହକ ରାଜେଶ ପୃଷ୍ଟି ଓ ଅଭିଷେକ ମହାନ୍ତିଙ୍କ ସଂଯୋଜନାରେ ଶତାଧିକ ସଦସ୍ୟ ଓ କର୍ମକର୍ତ୍ତା ଖଣ୍ଡଗିରି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୌଣସି ପେଣ୍ଡାଲରେ ଯଦି ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯିବା ନଜରକୁ ଆସିବ ତେବେ ଜୋରଦାର ବିରୋଧ କରାଯିବ ଓ ଗୋବର ମାଡ଼ କରାଯିବାକୁ ଚେତାବନୀ ଦେଇଛି ମଞ୍ଚ । କେବଳ ଖଣ୍ଡଗିରି ନୁହେଁ ସାରା ରାଜ୍ୟରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଅବଗତ କରିଛି ମଞ୍ଚ ।