କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ଗାଁରେ ବାରହା ଆକ୍ରମଣରେ ଜଣେ ଯୁବକ ଗୁରୁତର । କାର୍ତ୍ତି ମିର୍ଧାଙ୍କ ପୁଅ ସିଦ୍ଧାର୍ଥ ମିର୍ଧା ଭୋର ପ୍ରାୟ ୫ଟା ସମୟରେ ଘର ବାହାରକୁ ବାହାରିବା ସମୟରେ ବାହରା ହଠାତ ଆକ୍ରମଣ କରିଥିଲା । ବେକରେ ଗଭୀର କ୍ଷତ ହେବା ସହିତ ଦେହର ଚାରୋଟି ଜାଗାରେ ବାରାହା ଆକ୍ରମଣ କରିଛି । ବହୁ ପରିମାଣରେ ରକ୍ତସ୍ରାବ ହେଉଥିବାର ଦେଖିବାକୁ ମିଳିଛି । ସରପଞ୍ଚ ବିଶ୍ଵଜିତ ବସୁ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସିଦ୍ଧାର୍ଥଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜମ୍ବୁ ପାଞ୍ଚାୟତରେ ଜଙ୍ଗଲ କଡ଼ ତାରବାଡ ନଷ୍ଟ ହୋଇଯାଇଥିବାରୁ ଜଙ୍ଗଲୀ ବାରହା ଜନବସତି ଆଡକୁ ପଶିଆସୁଛନ୍ତି । ଏ ବାବଦରେ ବାରମ୍ବାର ଜମ୍ବୁ ସରପଞ୍ଚ ବନ ବିଭାଗ ଏବଂ ଡିଏଫଓଙ୍କୁ ଜଣାଇ ଥିଲେ ମଧ୍ୟ ତାରବାଡ଼ ଠିକ୍ ଭାବରେ ଲଗାଯାଉନାହିଁ । ଫଳରେ ସାଧାରଣ ଲୋକେ ଜଙ୍ଗଲି ବାରହା ଆକ୍ରମଣର ଶିକାର ହେଉଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜମ୍ବୁ ସରପଞ୍ଚ ।