ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଥା କଟାକଟି । ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାକୁ ଗୁରୁତ୍ବ ଦିଆଯାଇଥିବାବେଳେ ଏହା ଫସର ଫାଟିଛି । ଏହି କଥାବାର୍ତ୍ତାବେଳେ ଆମେରିକା ସହ ଖଣିଜ ପଦାର୍ଥ ସଂକ୍ରାନ୍ତ ରାଜିନାମା ସ୍ବାକ୍ଷରିତ ହେବା ଆଶା ଥିଲା । ମାତ୍ର ବୈଠକରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସବୁକିଛି ଧୂଳିସାତ ହୋଇଛି । ଏପରିକି ଜେଲେନସ୍କି ଓ ତାଙ୍କ ପ୍ରତିନିଧିଙ୍କୁ ହ୍ବାଇଟ ହାଉସରୁ ବାହାରି ଯିବା ଲାଗି ବି ନିର୍ଦ୍ଦେଶ ଦିଆଯିବାରୁ କୌଣସି ମିଳିତ ଘୋଷଣାନାମା ଜାରି ହୋଇପାରିନାହିଁ । ଶାନ୍ତି ପ୍ରତିଷ୍ଠା ଲାଗି ଜେଲେନସ୍କି ଅଙ୍ଗୀକୃତ ନୁହଁନ୍ତି ଏବଂ ସେ ସମ୍ମାନ ଦେଇ ଜାଣନ୍ତି ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଆଲୋଚନା ବେଳେ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ବି ଉପସ୍ଥିତ ଥିଲେ । ତେବେ ଜେଲେନସ୍କି ଏକ ବିତର୍କ ସୃଷ୍ଟି କରିବାରୁ କଥାବାର୍ତ୍ତାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଏପରିକି ଆପଣ ତୃତୀୟ ବିଶ୍ବଯୁଦ୍ଧ ସୃଷ୍ଟି ଲାଗି ଉଦ୍ୟମ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ଜେଲେନସ୍କିଙ୍କୁ କହିଥିଲେ ଟ୍ରମ୍ପ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ନେଇ ଟ୍ରମ୍ପଙ୍କୁ ଜେଲେନସ୍କି ପ୍ରଶ୍ନ କରିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । କିଛି ଦିନ ତଳେ ଜେଲେନସ୍କିଙ୍କୁ ଏକଛତ୍ରବାଦୀ ବୋଲି ଅଭିହିତ କରିଥିଲେ ଟ୍ରମ୍ପ । ପୁଟିନଙ୍କ ଅସ୍ତ୍ରବିରତି ଉଲ୍ଲଂଘନ ପ୍ରସଙ୍ଗକୁ ଜେଲେନସ୍କି ଉଠାଇବାରୁ ଟ୍ରମ୍ପ ଉତକ୍ଷିପ୍ତ ହୋଇଯାଇଥିଲେ । ବିଭିନ୍ନ ପ୍ରସଙ୍ଗରେ ଜେଲେନ୍ସିଙ୍କୁ ଭାନ୍ସ ପ୍ରଶ୍ନ କରିବା ପରେ ସେ ଉତ୍ତ୍ୟକ୍ତ ହୋଇଯାଇଥିଲେ । ପରେ ପରେ ବୈଠକକୁ ଟ୍ରମ୍ପ ବାତିଲ କରିବା ସହ ମିଡିଆକୁ ସମ୍ବୋଧନ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ । ତେବେ ବୈଠକରୁ ବାହାରି ଯିବା ପରେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ଜେଲେନସ୍କି । ସେପଟେ ୟୁକ୍ରେନକୁ ସହାୟତା ଜାରି ରହିବ ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ଜେଲେନସ୍କିଙ୍କୁ ବି ସମର୍ଥନ କରିଛନ୍ତି ୟୁରୋପୀୟ କମିଶନ ଅଧ୍ଯକ୍ଷା ଉର୍ସୁଲା ଭନ ଓ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ । ସେପଟେ ଜେଲେନସ୍କି କହିଛନ୍ତି- ଯୁଦ୍ଧ ଶେଷ କରିବା ଲାଗି କୌଣସି ପକ୍ଷ ଚାହୁଁନାହାନ୍ତି । କାରଣ ସମସ୍ତ ପକ୍ଷ ଭୟଭୀତ ଅଛନ୍ତି । ରୁଷ ପ୍ରତି ୟୁକ୍ରେନର ଥିବା ଦୃଷ୍ଟିଭଙ୍ଗୀକୁ ଗ୍ରହଣ କରିବାକୁ ଟ୍ରମ୍ପ ପ୍ରସ୍ତୁତ ନୁହନ୍ତି ବୋଲି କହିଛନ୍ତି ଜେଲେନସ୍କି । ସେପଟେ ନିଜ ଆଚରଣ ଲାଗି ଜେଲେନସ୍କି ଦୁଃଖ ପ୍ରକାଶ କରିଥିବା ସୂଚନା ମିଳିଛି।