ସଂଚାର ବ୍ୟୁରୋ: ୧୬ ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସୋତି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୪ ବର୍ଷର ଶିଶୁପୁତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଶିଶୁକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସକାଳ ସାଢେ ୧୦ଟା ସମୟରେ ଦମ୍ପତ୍ତି ଓ ତାଙ୍କର ଏକ ୪ ବର୍ଷର ଶିଶୁପୁତ୍ର ସହ ଏକ ବାଇକ ଯୋଗେ କୁଆଖିଆ ପଟୁ ପାଣିକୋଇଲି ଅଭିମୁଖେ ଯାଉଥିବା ସମୟରେ ସୋତି ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ମା’ ର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନର ସହାୟତାରେ ପୋଲିସ ଗୁରୁତର ବାପା ଓ ଶିଶୁପୁତ୍ର କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ମାତ୍ର ଡାକ୍ତର ସେଠାରେ ବାପାଙ୍କୁ ମୃତ ଘୋଷଣା କରିଥିବା ବେଳେ ଶିଶୁପୁତ୍ରର ଚିକିତ୍ସା କରାଯାଇଛି। ଏପର୍ଯ୍ୟନ୍ତ ମୃତ ଦମ୍ପତ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପାଣିକୋଇଲି ପୋଲିସ।