ସଂଚାର ବ୍ୟୁରୋ: ବହୁଚର୍ଚ୍ଚିତ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା। ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲଦଣ୍ଡାଦେଶ। ରାୟ ଶୁଣାଇଲେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ। ୧୯୮୪ ନଭେମ୍ବର ୧ରେ ୨ ଶିଖଙ୍କ ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି। ୨୦୧୮ରେ ସଜ୍ଜନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ। ହେଲେ କୋର୍ଟଙ୍କ ରାୟ ବିରୋଧରେ ଅପିଲ କରିଥିଲେ ସଜ୍ଜନ କୁମାର। ଦିଲ୍ଲୀ କାଣ୍ଟନମେଣ୍ଟ ଦଙ୍ଗା ଘଟଣାରେ ବି ସଜ୍ଜନଙ୍କୁ ମିଳିଥିଲା ଆଜୀବନ ଜେଲଦଣ୍ଡ। ୧୯୮୪ରେ ଦିଲ୍ଲୀ ସରସ୍ବତୀ ବିହାର ଅଞ୍ଚଳରେ ଘଟିଥିଲା ଦଙ୍ଗା। ଏହି ବହୁଚର୍ଚ୍ଚିତ ମାମଲାରେ ସଜ୍ଜନଙ୍କୁ ମୃତ୍ଯୁଦଣ୍ଡ ଦେବା ଲାଗି ପୋଲିସ କରିଥିଲା ଆବେଦନ। ମାମଲାର ଶୁଣାଣି ବେଳେ ଉପସ୍ଥିତ ଥିଲେ ଦିଲ୍ଲୀ ପୋଲିସ ଓ ପୀଡ଼ିତଙ୍କ ପରିବାର। ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାନବ ସମୁଦାୟ ବିରୋଧରେ ଏକ ଅପରାଧ ବୋଲି ଆବେଦନରେ ଦର୍ଶାଯାଇଥିଲା। ୧୯୮୪ ନଭେମ୍ବର ୧ରେ ଯଶବନ୍ତ ସିଂ ଓ ପୁଅ ତରୁଣଦୀପ ସିଂଙ୍କୁ ଜିଅନ୍ତା ଜାଳି ହତ୍ୟା କରାଯାଇଥିଲା। ସେପଟେ ଆଜୀବନ କାରାଦଣ୍ଡ ବଦଳରେ ସଜ୍ଜନଙ୍କୁ ଫାଶୀଦଣ୍ଡ ଦେବା ଲାଗି ଦାବି କରିଛନ୍ତି ମୃତକଙ୍କ ପରିବାର। ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ଯା ପରେ ଦିଲ୍ଲୀରେ ହୋଇଥିଲା ଶିଖ୍ ବିରୋଧୀ ଦଙ୍ଗା। ଉତ୍ତର ଦିଲ୍ଲୀର ସରସ୍ବତୀ ବିହାର ଥାନାରେ ଏନେଇ ରୁଜୁ ହୋଇଥିଲା ମାମଲା। ୧୯୮୪ ଦଙ୍ଗା ମାମଲାର ତଦନ୍ତ ଲାଗି ଗଠିତ ରଙ୍ଗନାଥ ମିଶ୍ର କମିଶନ ନିକଟରେ ପୀଡିତଙ୍କ ପରିବାର ପକ୍ଷରୁ ଦାୟର ସତ୍ୟପାଠ ଆଧାରରେ ଥାନାରେ ମାମଲା ରୁଜୁ ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ଧାର୍ମିକ ବର୍ଗଙ୍କୁ ଅତି ଅମାନୁଷିକ ଭାବେ ଟାର୍ଗେଟ କରାଯାଇଥିଲା ବୋଲି ପୋଲିସ ଦର୍ଶାଇଥିଲା।