ସଂଚାର ବ୍ୟୁରୋ: ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ ଉପରେ ଚାପ। ଏପରିକି ଘନିଷ୍ଠ ସହଯୋଗୀଙ୍କ ତରଫରୁ ଏହି ଚାପ ପଡୁଛି। ଇସ୍ରାଏଲର ଆକ୍ରମଣରେ ଗାଜା ଓ ଲେବାନନ ବ୍ୟାପକ ଧ୍ଵଂସଲୀଳା ସୃଷ୍ଟି ହୋଇଥିବାରୁ ଯୁଦ୍ଧ ବନ୍ଦ ପାଇଁ ପଶ୍ଚିମ ଦେଶ ମଧ୍ଯ ଚାହୁଁଛନ୍ତି। ଏକପାଖିଆ ଯୁଦ୍ଧ କରୁଛି ଇସ୍ରାଏଲ। ମିଲିଟାରିକୁ ଟାର୍ଗେଟ କରିବା ବଦଳରେ ଯୁଦ୍ଧରେ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଓ ଭିତ୍ତିଭୂମି ପୁରା ଧ୍ଵଂସ ପାଉଥିବାରୁ ସାରା ବିଶ୍ଵରେ ଦେଖାଦେଇଛି ଉଦବେଗ। ଏକ ବର୍ଷର ଯୁଦ୍ଧରେ ଗାଜାରେ ୫୦ ହଜାରରୁ ଅଧିକ ଲୋକ ଓ ଲେବାନନରେ ମଧ୍ୟ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ସାରା ବିଶ୍ଵ ଚିନ୍ତିତ। ଇସ୍ରାଏଲର ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ଯ ଯୁଦ୍ଧ ବନ୍ଦ ହେଉ ବୋଲି ଚାହୁଁଛନ୍ତି। କିନ୍ତୁ ଇସ୍ରାଏଲ କାହା କଥା ମାନୁନି। ଏକପାଖିଆ ଯୁଦ୍ଧ ଚଳାଇଛି। ତେଣୁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ବିକ୍ରି ବନ୍ଦ କରିବାକୁ ଆହ୍ଵାନ ଦେଇଛି ଫ୍ରାନସ। ରାଷ୍ଟ୍ରପତି ଇମାନୁଏଲ ମକରନ କହିଛନ୍ତି, ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ବିକ୍ରି କରାନଯାଉ। ଅସ୍ତ୍ରଶସ୍ତ୍ର ଅଭାବ ହେଲେ ହିଁ ଯୁଦ୍ଧ ବନ୍ଦ ହେବ। ଇସ୍ରାଏଲର ଯୋଗୁଁ ଅଧିକ ବିପଦ ସୃଷ୍ଟି ହୋଇଛି। ଏପରିକି ଇସ୍ରାଏଲର ନାଗରିକ ବି ସୁରକ୍ଷିତ ନାହାନ୍ତି। ତାଙ୍କର ଏହି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି ନେତାନ୍ୟାହୁ। ସେ କହିଛନ୍ତି, ଇସ୍ରାଏଲର ଚାରିପଟେ ଆତଙ୍କବାଦୀ ଅଛନ୍ତି। ଘେରାଉ କରି ଆକ୍ରମଣ କରୁଛନ୍ତି। ଏପରି ସମୟରେ ସାହାଯ୍ଯ ନ କରି ଅସ୍ତ୍ରଶସ୍ତ୍ର ବିକ୍ରି ବନ୍ଦ କରିବା ଲଜ୍ଜାଜନକ। ଆମକୁ କିଏ ସାହାଯ୍ୟ କରନ୍ତୁ କି ନ କରନ୍ତୁ, ଆମେ ଜିତିବୁ ବୋଲି କହିଛନ୍ତି, ଇସ୍ରାଏଲର ପ୍ରଧାନମନ୍ତ୍ରୀ।