ଇସ୍ରାଏଲ-ହମାସ ଅସ୍ତ୍ରବିରତି ପ୍ରସଙ୍ଗ। ପ୍ରଥମ ପର୍ଯ୍ୟାୟରେ ୩
ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ। ପଣବନ୍ଦୀଙ୍କୁ ମୁକ୍ତି ନେଇ ରେଡକ୍ରସ ପକ୍ଷରୁ ସ୍ପଷ୍ଟ କରାଯାଇଛି ବୋଲି କହିଛି ଇସ୍ରାଏଲ। ଯେଉଁ ୩ ଜଣ ମହିଳା ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି ସେମାନେ ହେଲେ ରୋମି ଗୋନେନ, ଏମିଲି ଦାମାରି ଓ ଡୋରନ ଷ୍ଟିନବ୍ରେଚର। ଫଳରେ ଆସନ୍ତା ୪୨ ଦିନ ଯାଏ ଅସ୍ତ୍ରବିରତି କାର୍ଯ୍ଯକାରୀ ହେବା ଆଶା ଉଜ୍ଜୀବିତ ହୋଇଛି। ପୂର୍ବରୁ ଇସ୍ରାଏଲ କହିଥିଲା- ମୁକ୍ତ ହେବାକୁ ଥିବା ୩୩ ପଣବନ୍ଦୀଙ୍କ ତାଲିକା ଜାରି ନହେବା ଯାଏ ଗାଜାରେ ଆକ୍ରମଣ ଜାରି ରହିବ। ବର୍ତ୍ତମାନ ହମାସ କବଳରେ ୯୮ ଜଣ ପଣବନ୍ଦୀ ରହିଥିବା ଆଶଙ୍କା କରାଯାଉଛି। ପ୍ରଥମ ପର୍ଯ୍ଯାୟ ଯୁଦ୍ଧ ବିରତିରେ ୭୩୭ ପାଲେଷ୍ଟିନୀୟ ମୁକ୍ତ ହେବେ। ଯୁଦ୍ଧ ବିରାମର ଦ୍ଵିତୀୟ ପର୍ଯ୍ୟାୟ ସଫଳ ହେଲେ ସ୍ଥାୟୀ ଭାବେ ଯୁଦ୍ଧ ବନ୍ଦ ହେବ ବୋଲି ଜଣାପଡିଛି। ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲ ସିକ୍ଯୁରିଟି କ୍ଯାବିନେଟର ମଞ୍ଜୁରୀ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଗାଜାରେ ୪୬ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ୧୦ଲକ୍ଷରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି ।