ପାରାଦୀପ ବନ୍ଦରରେ ଅଘଟଣ । ଜାହାଜ ଲାଗିବା ପରେ ଓହ୍ଲାଇବା ବେଳେ ସମୁଦ୍ରକୁ ଖସି ପଡ଼ିଲେ ୨ ବିଦେଶୀ ନାଗରିକ । ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ପିଆଇସିଟି ବର୍ଥରେ ଏହି ଅଘଟଣ ଘଟିଛି । ଶୁକ୍ରବାର ସକାଳ ପ୍ରାୟ ୬ଟା ସମୟରେ ଲକି ଡ୍ରାଗନ ନାମକ ଜାହାଜ ପିଆଇସିଟି ବର୍ଥରେ ଲାଗିଥିଲା ।
ପିଆଇସିଟି ବର୍ଥରେ ବିଦେଶୀ ଜାହାଜଟି ଲାଗିବା ବେଳେ କଡ଼ା ସୁରକ୍ଷା ଥିଲା । ସତର୍କତା ମୂଳକ ପଦେକ୍ଷପ ବି ନିଆ ଯାଇଥିଲା । ସବୁ ପଦକ୍ଷେପ ସତ୍ତ୍ଵେ ଜାହାଜରୁ ଓହ୍ଲାଇବା ବେଳେ ୨ ବିଦେଶୀ ନାଗରିକ ସମୁଦ୍ର ଗର୍ଭକୁ ଖସି ପଡ଼ିଛନ୍ତି । ତୁରନ୍ତ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ନିଖୋଜି ଅଛନ୍ତି । ୨ ନାଗରିକ ଚୀନର ବୋଲି ସୂଚନା ମିଳିଛି ।
ନିଖୋଜ ଚୀନ ନାଗରିକଙ୍କୁ ଖୋଜିବା ଲାଗି ଜଗତସିଂହପୁରରୁ ଆସି ପହଞ୍ଚିଛି ଓଡ୍ରାଫ୍ ଟିମ୍ । ତେବେ କେଉଁ ପରିସ୍ଥିତିରେ ଆଉ କିଭଳି ଜାହାଜରୁ ଓହ୍ଲାଇବା ବେଳେ ୨ ଜଣ ଖସି ପଡ଼ିଲେ ? ଏବେ ଉଦ୍ଧାରକୁ ବନ୍ଦର କର୍ତ୍ତୃପକ୍ଷ ଗୁରୁତ୍ଵ ଦେଉଥିବା ବେଳେ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ କେମିତି ୨ ଜଣ ସମୁଦ୍ର ଗର୍ଭକୁ ଖସି ପଡ଼ିଲେ ।

