ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ମେଗା ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ମହାମୁକାବିଲାରେ ପରସ୍ପରରକୁ ଭେଟିବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ। ଆରସିବି କିମ୍ବା ପଞ୍ଜାବ ପୂର୍ବରୁ ଆଇପିଏଲ୍ ଟାଇଟଲ ହାସଲ କରି ନ ଥିବା ବେଳେ କେଉଁ ଦଳ ୨୦୨୫ ଆଇପିଏଲ୍ ଚାମ୍ପିୟନ ହେବ ସେନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।
ଅନ୍ୟପକ୍ଷେ ଫାଇନାଲ ମ୍ୟାଚ୍ରେ ବର୍ଷା ହେବାର କୌଣସି ପୂର୍ବାନୁମାନ ନ ଥିବା ଦର୍ଶକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି। ଯଦି ମ୍ୟାଚ୍ ଆରମ୍ଭରୁ ବର୍ଷା ହୁଏ। ତେବେ ଅତିରିକ୍ତ ୧୨୦ ମିନିଟରେ ଖେଳ ଶେଷ କରାଯିବାକୁ ଉଦ୍ୟମ କରାଯିବ। ଏହା ନ ହୋଇପାରିଲେ ରିଜର୍ଭ ଡେ’ରେ ଖେଳ ହେବ ବୋଲି ମେନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଯୋଗ୍ୟ, ପୂର୍ବରୁ ଆରସିବି ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲ ଖେଳିଥିଲେ ହେଁ ରନରଅପ୍ରେ ସନ୍ତୁଷ୍ଟ ରହିଥିଲା। ଅନ୍ୟପକ୍ଷରେ ପଞ୍ଜାବ ୨୦୧୪ରେ ରନରଅପ୍ ହୋଇଥିଲା। କୋହଲି ଅନ୍ତର୍ଜାତୀୟ ଟି୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇ ଯାଇଥିବାରୁ ଆଉ ଅଧିକ ସମୟ ପଡ଼ିଆରେ ଦେଖିବାକୁ ମିଳିବେ ନାହିଁ। ତେଣୁ ତାଙ୍କ ଖେଳ ଦେଖିବା ପାଇଁ ଦର୍ଶକଙ୍କ ଭାବାବେଗ ବଢ଼ିବା ସ୍ବାଭାବିକ।
କ୍ୱାଲିଫାୟର-୧ରେ ଆରସିବି ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ତେଣୁ ଦଳଠାରୁ ସେପରି ଆଉଏକ ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ରହିବେ କୋହଲିଙ୍କ ପ୍ରଶଂସକ। ପ୍ରତି ବର୍ଷ ଭଳି କୋହଲି ଚଳିତ ବର୍ଷ ମଧ୍ୟ ପ୍ରଚୁର ରନ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୬୧୪ ରନ ସ୍କୋର କରି ଫର୍ମରେ ଥିବାର ପରିଚୟ ଦେଇଛନ୍ତି। ଏହି ସୁପରଷ୍ଟାରଙ୍କ ବ୍ୟତୀତ ଫିଲ୍ ସଲ୍ଟ, ମୟଙ୍କ ଅଗ୍ରଓ୍ବାଲ, ଅଧିନାୟକ ରଜତ ପଟିଦାର ଓ ଜୀତେଶ ଶର୍ମାଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ୍ଅପ୍ ବେଶ୍ ଦୃଢ଼ ରହିଛି। ଆହତ ସମସ୍ୟା ଯୋଗୁ ଗତ ୨ଟି ମ୍ୟାଚରେ ଖେଳିପାରି ନ ଥିବା ଟିମ୍ ଡାଭିଡ ଯଦି ଫିଟ୍ ହୁଅନ୍ତି ତେବେ ଡେଥ୍ ଓଭରରେ ସେ ଓ ରୋମାରିଓ ଶେଫର୍ଡ ଦଳକୁ ବହୁ ଫାଇଦାରେ ରଖି ପାରିବେ। ବ୍ୟାଟିଂରେ କୋହଲିଙ୍କ ଭଳି ବୋଲିଂରେ ଜୋଶ ହାଜେଲଉଡ୍ ୨୧ଟି ଉଇକେଟ ନେଇ ଆରସିବି ପାଇଁ ସମ୍ଭାବନା ସୃଷ୍ଟି କରିଛନ୍ତି। ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କଠାରୁ ଆରସିବି ଆଉ ଏକ ଶ୍ରେଷ୍ଠ ପ୍ରଦର୍ଶନ ଆଶା କରିବ।
ଅନ୍ୟପକ୍ଷରେ କ୍ୱାଲିଫାୟର-୧ରେହାରିବା ପରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କ୍ୱାଲିଫାୟର-୨ରେ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦକ୍ଷତା ଦେଖାଇଛି। ଦୀର୍ଘ ୧୧ ବର୍ଷ ପରେ ପଞ୍ଜାବ ଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ଆୟର ଓ କୋଚ୍ ରିକି ପଣ୍ଟିଂଙ୍କ କମ୍ବିନେଶନ ବେଶ୍ ଜମିଛି। ଆୟର ଗତବର୍ଷ ନିଜ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସକୁ ଚାମ୍ପିୟନ କରାଇଥିଲେ। ସେ ମଧ୍ୟ ଚମତ୍କାର ଫର୍ମରେ ଥାଇ ୬୦୩ ରନ ସଂଗ୍ରହ କରି ସାରିଛନ୍ତି। ଆଇପିଏଲ୍ର ୧୮ ବର୍ଷ ଇତିହାସରେ ସେ ଏକମାତ୍ର ଅଧିନାୟକ ଭାବେ ୩ଟି ଭିନ୍ନଭିନ୍ନ ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି।