ପୂର୍ବତନ ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ଏମଏସ ଧୋନୀଙ୍କୁ ହଲ୍ ଅଫ୍ ଫେମରେ ସମ୍ମାନିତ କଲା ଆଇସିସି । ସୋମବାର ଲଣ୍ଡନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇସିସି ହଲ ଅଫ ଫେମରେ ସାମିଲ ହୋଇଛନ୍ତି ଧୋନୀ । ବର୍ଷ ବର୍ଷ ଧରି ସାମିଲ ହୋଇଥିବା ୧୧୫ ଜଣ ଖେଳାଳିଙ୍କ ତାଲିକାରେ ନୂତନ ଭାବେ ଯୋଗ ଦିଆଯାଇଥିବା ସାତ ଖେଳାଳିଙ୍କ ମଧ୍ୟରୁ ଧୋନୀ ଜଣେ । ୧୧ତମ ଭାରତୀୟ ଖେଳାଳି ଭାବେ ତାଙ୍କୁ ଏହି ସମ୍ମାନ ମିଳିଛି ।
୨୦୦୭ରେ ପ୍ରଥମ ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଅଧିନାୟ ହୋଇଥିଲେ ଧୋନୀ ଏବଂ ଦଳକୁ ଟ୍ରଫି ଜିତାଇଥିଲେ । ସେ ୨୦୧୧ରେ ଦିନିକିଆ ବିଶ୍ୱକପ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲେ । ଭାରତ ପାଇଁ ଧୋନୀ ୩୫୦ଟି ଦିନିକିଆ ଖେଳିଛନ୍ତି, ଯେଉଁଥିରେ ୫୦.୫୭ ହାରରେ ୧୦,୭୭୩ ରନ କରିଛନ୍ତି । ଏହି ସମୟରେ ସେ ୧୦ଟି ଶତକ ଏବଂ ୭୩ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ସେହିପରି ସେ ୯୦ଟି ଟେଷ୍ଟ ଖେଳିଛନ୍ତି । ଏହି ଫର୍ମାଟରେ ସେ ୪୮୭୬ ରନ କରିଛନ୍ତି । ଯେଉଁଥିରେ ୬ଟି ଶତକ ରହିଛି । ଧୋନୀ ତାଙ୍କର ଶେଷ ଆନ୍ତର୍ଜାତିକ ମ୍ୟାଚ ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ୨୦୨୦ ଅଗଷ୍ଟରେ ସେ ଅବସର ଘୋଷଣା କରିଥିଲେ ।