ବର୍ଷାରେ ଭିଜିବ ରଥଯାତ୍ରା । ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବା ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ଆଶଙ୍କା ଅଛି । ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ ।
ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ଅଛି । ବର୍ଷା ପାଗ ସତ୍ତ୍ୱେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୫ ତାରିଖ ପରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ପାଣିପାଗ ବିଜ୍ଞାନୀଙ୍କ ଆକଳନ ମୁତାବକ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଅର୍ଥାତ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ଲଘୁଚାପ ପ୍ରଭାବରେ ତେବେ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ଆକଳନ କରାଯାଇଛି ।

