ଜଗତଜନନୀ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଗକୁ ସେହିଭଳି ପାଣିପାଣି ହେବ କି ଦଶହରା ? ବଙ୍ଗୋପସାଗରରେ ଏବେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ତା’ ପଛକୁ ଦାନା ବାନ୍ଧୁଛି ଆଉ ଦୁଇଟି ଲଘୁଚାପ । ୨୫ ତାରିଖ ବେଳକୁ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ପୁଣି ୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି ।
ତେବେ ଅକ୍ଟୋବର ୧ ତାରିଖରେ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଲେ ନବମୀ ଓ ଦଶମୀରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ବର୍ତ୍ତମାନ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନାଗିରି, କୋରାପୁଟ, କେଉଁଝର, ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ସେହିପରି ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୋନପୁର ଓ ବୌଦ୍ଧ ଜିଲ୍ଲା ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।
ସେପଟେ ଲଗାତାର ବର୍ଷା ଫଳରେ ମାଲକାନଗିରି ବଣ୍ଡାଘାଟିରେ ଧସିଛି ମାଟି । ଯାହାଫଳରେ ଯାତାୟାତ ପ୍ରଭାବିତ ହୋଇଛି । ସେହିପରି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଯାହାଫଳରେ ଯାହାତାୟାତ ପୂରା ଠପ ହୋଇଯାଇଛି ।
ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ୪୦-୫୦ କିମି ଓ ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି । ଯାହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ । ତେଣୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।