ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ମିଶ୍ରିତ ପାଗ ରହିବ। ଦିନ ବେଳା ବିଭିନ୍ନ ସ୍ଥାନରେ ଗୁଳୁଗୁଳି ସହ ଅପରାହ୍ଣରେ ପ୍ରାୟ ଅଧିକାଂଶ ସ୍ଥାନରେ ବର୍ଷା ପାଇଁ ପାଗ ଅନୁକୂଳ ରହିବ। ବୁଧବାର ସ୍ନାନ ପୂର୍ଣ୍ଣିମାରେ ମଧ୍ୟ ଏଭଳି ସ୍ଥିତି ଜାରି ରହିବ। ଚାରି ଦିନ ପରେ ମୌସୁମୀ ସକ୍ରିୟ ସହ ବର୍ଷାର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଉତ୍ତର ଉପକୂଳ ଓଡିଶା ତତ-ସଂଲଗ୍ନ ଦକ୍ଷିଣ ଗଙ୍ଗୀୟ-ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।