ହଠାତ୍ ବଦଳିଗଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲୁକ୍… ଆଉ ଏହାକୁ ନେଇ ଆରମ୍ଭ ହୋଇଗଲା ଚର୍ଚ୍ଚା । ଲଣ୍ଡା ହୋଇ ନୂଆ ଅବତାରରେ ନଜର ଆସିଲେ ଭାରତୀୟ କ୍ରିକେଟ୍ର ଏହି ଷ୍ଟାର୍ ଅଲରାଉଣ୍ଡର । ଅନ୍ୟପଟେ IPL ୨୦୨୭ ପୂର୍ବରୁ ଟିମ୍ ବଦଳାଇବା ନେଇ ମଧ୍ୟ ଚାଲିଛି ଜୋରଦାର ଚର୍ଚ୍ଚା । ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ କି ହାର୍ଦ୍ଦିକ? ଚେନ୍ନାଇ ସୁପର କିଙ୍ଗ୍ସ କିମ୍ବା ଅନ୍ୟ କୌଣସି ଦଳରେ ଯୋଗ ଦେବେ କି? ଏହି ସବୁ ପ୍ରଶ୍ନ ମଧ୍ୟରେ ଗର୍ଲଫ୍ରେଣ୍ଡଙ୍କ ସହ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଛନ୍ତି ହାର୍ଦ୍ଦିକ ।
ରିପୋର୍ଟ ଅନୁଯାୟୀ, IPL ୨୦୨୭ ଅକ୍ସନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସଠାରୁ ଅଲଗା ହୋଇପାରନ୍ତି । କିଛି ରିପୋର୍ଟରେ ଦାବି କରାଯାଉଛି ଯେ, ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ଦଳରେ ସାମିଲ କରିବାକୁ ବେଶ୍ ଆଗ୍ରହୀ ଅଛି । ଏହା ସହିତ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟ ହାର୍ଦ୍ଦିକଙ୍କୁ ନେବାକୁ ଇଚ୍ଛୁକ ବୋଲି ଚର୍ଚ୍ଚା ହେଉଛି । ତେବେ ଏପର୍ଯ୍ୟନ୍ତ କୌଣସି ଟ୍ରେଡ୍ ଡିଲ୍ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ ।
ଏହି ଚର୍ଚ୍ଚା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ସହ ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପହଞ୍ଚିଥିଲେ । ତିରୁମଲା ପାହାଡ଼ ଉପରେ ଥିବା ଏହି ପ୍ରସିଦ୍ଧ ମନ୍ଦିରକୁ ତିରୁପତି ବାଲାଜୀ ମନ୍ଦିର ମଧ୍ୟ କୁହାଯାଏ, ଯାହା ଭଗବାନ ବିଷ୍ଣୁଙ୍କୁ ସମର୍ପିତ ।
ମନ୍ଦିର ଦର୍ଶନ ସମୟରେ ହାର୍ଦ୍ଦିକଙ୍କ ନୂଆ ଲୁକ୍ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ସେ ମୁଣ୍ଡର ସମସ୍ତ କେଶ କାଟି ଦେଇଥିବା ବେଳେ, କେବଳ ଦାଢ଼ିରେ ଏକ ନୂଆ ଷ୍ଟାଇଲ୍ ଦେଖିବାକୁ ମିଳିଥିଲା । ତେବେ ହାର୍ଦ୍ଦିକ କୌଣସି ମନୋସ୍କାମନା ପୂରଣ ପାଇଁ କେଶ କାଟିଛନ୍ତି କିମ୍ବା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ IPL ଯାତ୍ରାକୁ ଦେଖିଲେ, ୨୦୨୪ ପୂର୍ବରୁ ସେ ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ। ଏହା ପୂର୍ବରୁ ସେ ଗୁଜରାଟ ଟାଇଟନ୍ସର ଅଧିନାୟକ ଭାବେ ଦଳକୁ ଚାମ୍ପିୟନ କରିଥିଲେ ।
କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ତାଙ୍କ ରେକର୍ଡ ଭଲ ନାହିଁ । ୨୦୨୪ରେ ଦଳ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା। ୨୦୨୫ରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲା ମୁମ୍ବାଇ । ଏବେ ସମସ୍ତଙ୍କ ନଜର IPL ୨୦୨୭ ଉପରେ । ହାର୍ଦ୍ଦିକ ପାଣ୍ଡ୍ୟା କେଉଁ ଦଳ ପାଇଁ ଖେଳିବେ, ନା ସେ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିବେ—ଏହାର ଉତ୍ତର ଆଗାମୀ ସମୟରେ ହିଁ ସ୍ପଷ୍ଟ ହେବ ।

