ଗଜପତି : ସ୍ତ୍ରୀ ସାଜିଥିଲା ରାକ୍ଷସୀ। ଖାଇବାକୁ ମାଗିଲେ ଦେଉଥିଲା ମାଡ। ଆଠ ଦିନ ପରେ ବନ୍ଦ କୋଠରୀରୁ ସ୍ଵାମୀଙ୍କୁ ଉଦ୍ଧାର କଲା ପୁଲିସ। ନିଜ ବାପ ଘର ଲୋକଙ୍କ ସହ ମିଶି ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଆଠ ଦିନ ଧରି ଏକ କୋଠରୀରେ ବନ୍ଦୀ କରି ରଖିଥିଲେ ସ୍ତ୍ରୀ। ଖବର ପାଇ ପୁଲିସ ଓ ସ୍ଥାନୀୟ ଜନପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀଙ୍କୁ ଉଦ୍ଧାର କରିଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟର ବିଜେପୁର ସାହିରେ।
ଗାଁର କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା। ବିଭିନ୍ନ ସମୟରେ ପ୍ରାଣ ରଞ୍ଜନି ସ୍ୱାମୀ କସ୍ତାନ୍ତିନଙ୍କୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି। ଗତ କିଛି ଦିନ ପୂର୍ବରୁ ପ୍ରାଣ ରଞ୍ଜନି ତାଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଖାଇବାକୁ ନ ଦେଇ ଏକ କୋଠରୀରେ ତାଲା ପକାଇ ବନ୍ଦୀ କରି ରଖିଥିଲେ। ପ୍ରାଣ ରଞ୍ଜନିଙ୍କ ବାପ ଘର ଲୋକେ ମଧ୍ୟ କିସ୍ତାନ୍ତିନଙ୍କୁ ମାରପିଟ କରିଥିଲେ। କୌଣସି ସୂତ୍ରରୁ ଏ ସଂପର୍କରେ ଖବର ପାଇଥିଲେ କସ୍ତାନ୍ତିନଙ୍କ ବଡ଼ ଭାଇ। ତା’ପରେ ସେ ସ୍ଥାନୀୟ ସରପଞ୍ଚ ଓ ପୁଲିସକୁ ଏ ବିଷୟରେ ଜଣାଇଥିଲେ।