ସଂଚାର ବ୍ୟୁରୋ: ଉତ୍ତରାଖଣ୍ଡରେ ବିଧାୟକଙ୍କ ଅଫିସ ଉପରକୁ ଫାୟାରିଂ। ହରିଦ୍ଵାରରେ ବିଧାୟକଙ୍କ ଅଫିସ ଉପରକୁ ଘନଘନ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ପୂର୍ବ ବିଧାୟକଙ୍କ ସମର୍ଥକଙ୍କ ସାଥିରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଉତ୍ତରାଖଣ୍ଡ ଖାନପୁରର ପୂର୍ବତନ ବିଜେପି ବିଧାୟକ କୁଅଁର ପ୍ରଣବ ସିଂହ ଚାମ୍ପିଅନ ସମର୍ଥକଙ୍କ ଗହଣରେ ଆସି ବର୍ତ୍ତମାନ ବିଧାୟକ ଥିବା ଉମେଶ କୁମାରଙ୍କ ଅଫିସ ଉପରକୁ ଗୁଳିମାଡ଼ କରିଥିଲେ। ଗତ ଦୁଇ ଦିନ ଧରି ବର୍ତ୍ତମାନର ବିଧାୟକ ଉମେଶ କୁମାର ଏବଂ ପୂର୍ବତନ ବିଧାୟକ କୁଅଁର ପ୍ରଣବ ସିଂହ ଚାମ୍ପିଅନଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବାକଯୁଦ୍ଧ ଜାରି ରହିଥିଲା। ଏହାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା କୁହାଯାଉଛି। ଉଭୟଙ୍କ ମଧ୍ୟରେ ଗ୍ୟାଙ୍ଗୱାର ସ୍ଥିତି ସୃଷ୍ଟି ହୋଇଛି। ଖାନପୁର ବିଧାୟକ ଉମେଶ କୁମାରଙ୍କ ଅଫିସ ଉପରକୁ ୩ଟି ଗାଡ଼ିରେ ଭର୍ତ୍ତି ହୋଇ ଆକ୍ରମଣକାରୀ ଆସିଥିଲେ। ଦିନ ଦ୍ଵିପ୍ରହରରେ ଗୁଳିମାଡ଼ରେ ଥରି ଉଠିଥିଲା ସାରା ଅଂଚଳ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବିଧାୟକ ଉମେଶ କୁମାରଙ୍କ ସମର୍ଥକ। ଗୁଳିକାଣ୍ଡ ସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।