ଗ୍ରୁପ୍ ବି’ରେ ଆଜି (ଶନିବାର) ଦୁଇ ପାୱାର ହାଉସ୍ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ । ଉଭୟ ଦଳ ଏଥର ଟାଇଟଲ ଦାବିଦାର ରହିଛନ୍ତି । ତେଣୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଉଭୟ । ପାକିସ୍ତାନ ଆସିବା ପୂର୍ବରୁ ଉଭୟ ଉପମହାଦେଶରେ କିଛି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ପ୍ରସ୍ତୁତି କରିଛନ୍ତି ।
ଆଜିର ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଇଂଲଣ୍ଡ ଦଳ ଭାରତରେ ଦିନିକିଆ ସିରିଜ ପରାଜିତ ହୋଇ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଆସିଛି । ପାକିସ୍ତାନ ଆସିବା ପୂର୍ବରୁ ଅଷ୍ଟ୍ରେଲିଆ ମଧ୍ୟ ଶ୍ରୀଲଙ୍କାରେ ୨ଟି ଯାକ ଦିନିକିଆ ପରାଜିତ ହୋଇଥିଲା । ଚାମ୍ପିଅନ୍ସ ଟ୍ରଫିରେ ଉଭୟ ଦଳ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ଇଂଲଣ୍ଡ ୩ଟି ଓ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍ ଜିତିଛନ୍ତି । ଇଂଲଣ୍ଡ ଦଳ ଶ୍ରେଷ୍ଠ ଏକାଦଶ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ମାତ୍ର ଅଷ୍ଟ୍ରେଲିଆ ଦଳରେ ବହୁ ଖେଳାଳି ଅନୁପସ୍ଥିତ ରହିଛନ୍ତି । ଦିନିକିଆ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟ ପ୍ୟାଟ୍ କମିନ୍ସ, ମିଚେଲ ମାର୍ଶ, ଜୋସ ହାଜେଲଉଡ୍, କାମେରନ ଗ୍ରୀନ ପ୍ରମୁଖ ଆହତ ହୋଇ ବାଦ ପଡ଼ିଛନ୍ତି ।
ସେହିପରି ମାର୍କସ ଷ୍ଟଇନିସ୍ ଦିନିକିଆରୁ ହଠାତ୍ ଅବସର ଘୋଷଣା କରିଥିବାବେଳେ ମିଚେଲ ଷ୍ଟାର୍କ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଯିବା ସମସ୍ତଙ୍କୁ ଚକିତ କରିଥିଲା । ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ରୂପେ ଏକ ଯୁବ ତଥା ଅନଭିଜ୍ଞ ପେସ୍ ବାହିନୀ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଆଡାମ ଜାମ୍ପା ଏକମାତ୍ର ସ୍ପିନର ଭାବେ ଖେଳିବେ । ଆବଶ୍ୟକ ପଡ଼ିଲେ ତାଙ୍କୁ ଗ୍ଲେନ ମ୍ୟାକ୍ସୱେଲ୍ ଓ ଟ୍ରେଭିସ ହେଡ୍ ସ୍ପିନ ବୋଲିଂରେ ସହାୟତା କରିପାରିବେ । ଇଂଲଣ୍ଡ ୨ଦିନ ପୂର୍ବରୁ ଏକାଦଶ ଘୋଷଣା କରିସାରିଛି । ଭାରତ ଗସ୍ତରେ ଆହତ ହୋଇଥିବା ଜାମି ସ୍ମିଥ୍ ଫିଟ୍ ହୋଇ ଏକାଦଶକୁ ଫେରିଛନ୍ତି । ସେ ଆଜି ୱିକେଟ୍ କିପର ଦାୟିତ୍ୱ ତୁଲାଇବେ । ଇଂଲଣ୍ଡ ବ୍ୟାଟିଂ ଅର୍ଡରରେ ସାମାନ୍ୟ ପରିବର୍ତ୍ତନ କରିବ । ସ୍ମିଥ୍ଙ୍କୁ ୩ନଂ ସ୍ଥାନରେ ଖେଳାଇବାକୁ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରୁଛି । ଫଳରେ ଜୋ ରୁଟ୍ ୪, ହ୍ୟାରୀ ବ୍ରୁକ୍ ୫, ବଟଲର ୬ ଓ ଲିଭିଙ୍ଗଷ୍ଟୋନ ୭ନଂ ସ୍ଥାନରେ ବ୍ୟାଟିଂ କରିପାରିବେ ।