ସଂଚାର ବ୍ୟୁରୋ: ଆସନ୍ତାକାଲି ନୟାଗଡ଼ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତ ଅବସରରେ କଣ୍ଟିଲୋ ନୀଳମାଧବଙ୍କୁ ସେ ଦର୍ଶନ କରିବା ସହ କାଳିଆପଲ୍ଲୀରେ ପ୍ରାୟ ୩ ଘଣ୍ଟାର କାର୍ଯ୍ୟକ୍ରମ ରହିଛି l ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଥିବା ନେଇ ନୟାଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି l ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ଏହା ସହ ନୀଳମାଧବଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଚାଲିଛି l ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମସ୍ତ ବିଭାଗର ଉଚ୍ଚ ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ଚଳାଇଛନ୍ତି l କୌଣସି କ୍ଷେତ୍ରରେ ଯେପରି ଅବହେଳା ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଲାଗିପଡିଛନ୍ତି l ଏହା ସହ କଣ୍ଟିଲୋକୁ ଘନ ଘନ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ SP ଏସ. ସୁଶ୍ରୀ l ରାଜ୍ୟସ୍ତରୀୟ ଏବଂ ନୟାଗଡ଼ର ବରିଷ୍ଠ ପୋଲିସ ଅଧିକାରୀମାନେ ଆଇନଶୃଙ୍ଖଳାର ସ୍ଥିତି ସମୀକ୍ଷା କରୁଛନ୍ତି l