ସଂଚାର ବ୍ୟୁରୋ: ଢେଙ୍କାନାଳରେ ଏନକାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଦେବାଶିଷ ବେହେରା ଓରଫ ହୁଣ୍ଡ ଆହତ ହୋଇଛି। ଏନକାଉଣ୍ଟର କରି ହୁଣ୍ଡକୁ କାବୁ କରିଛି ଢେଙ୍କାନାଳ ପୋଲିସ। ହୁଣ୍ଡର ଗୋଡରେ ବାଜିଛି ଗୁଳି। ତାକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛି ପୋଲିସ। ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ପୋଲିସ ଓ ଅପରାଧି ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳିବିନିମୟରେ କାମାକ୍ଷାନଗର ଅଂଚଳରେ ଅପରାଧ କରି ଆତଙ୍କ ସୃଷ୍ଟି କରିଥିବା କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ଫେରାର ସଦସ୍ୟ ହୁଣ୍ଡ ଆହତ ହୋଇଛି । ଗତରାତିରେ ସହଯୋଗୀ ଲିପୁନ ସହ ମିଶି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲା। ଖବରପାଇ ସଦର ଥାନା ପୋଲିସ ଉଭୟଙ୍କୁ କାଙ୍କଡ଼ପାଳରୁ ମଙ୍ଗଳପୁର ପର୍ଯ୍ୟନ୍ତ ଗୋଡ଼ାଇଥିଲା । ପୋଲିସ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ହୁଣ୍ଡ । ପୋଲିସର ପାଲଟା ଗୁଳିରେ ହୁଣ୍ଡ ବାଇକରୁ ଖସିପଡ଼ିଥିବାବେଳେ ସହଯୋଗୀ ଲିପୁନ ବାଇକ ସହ ଫେରାର ହୋଇଯାଇଛି । ଘଟଣାସ୍ଥଳରୁ ଏକ ବନ୍ଧୁକ ଜବତ କରିଛି ପୋଲିସ । ହୁଣ୍ଡ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୮ ଟି ଅପହରଣ, ଲୁଟ, ଦାଦାବାଟି ଆଦାୟ, ଗୁଳିମାଡ଼ ଭଳି ମାମଲା ରହିଛି ।