ସଂଚାର ବ୍ୟୁରୋ: ଆସୁଛି ହରିୟାଣା ନିର୍ବାଚନ । ସରକାର ଗଠନ କରିବାକୁ ବିଜେପି ଫୁଲ ଦମରେ ରହିଛି । ବିଜେପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏକ ଜନସଭାରେ ଯୋଗ ଦେଇ ସମ୍ବୋଧିତ କରିଥିଲେ । ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ପ୍ରାର୍ଥୀଙ୍କ ପାଇଁ ଲୋକଙ୍କ ମଧ୍ୟରେ ଭୂତପୂର୍ବ ଉତ୍ସାହ, ଆଶୀର୍ବାଦ ଏବଂ ଜନସମର୍ଥନ ରହିଛି । ଗୋଟିଏ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦଳୀୟ ପ୍ରାର୍ଥୀଙ୍କ ପ୍ରତି ଜନତାଙ୍କ ଆତ୍ମବିଶ୍ୱାସ ବଢିଛି। ଅପରପକ୍ଷରେ ଦେଶକୁ ଅପମାନିତ କରୁଥିବା ଲୋକମାନଙ୍କୁ ହରାଇବା ପାଇଁ ଜନସାଧାରଣ ସଂକଳ୍ପ ନେଇସାରିଛନ୍ତି । ସଂରକ୍ଷଣ ବନ୍ଦ କରିବାର ସ୍ୱପ୍ନ ଦେଖିଥିବା କଂଗ୍ରେସର ଯୁବରାଜଙ୍କ ଆଶା କେବେ ପୂରଣ ହେବ ନାହିଁ । କଂଗ୍ରେସର ଯୁବରାଜ ଓ ସେମାନଙ୍କ ପ୍ରାର୍ଥୀଙ୍କୁ ହରିଆଣାବାସୀ କଡ଼ା ଜବାବ ଦେବେ।
ହରିୟାଣାରେ ତୃତୀୟ ଥର ପାଇଁ ବିଜେପିର ସରକାର ଗଠନ ହେବ । ବିଜେପିକୁ ଭୋଟ ଦେବା ପାଇଁ ହରିୟାଣାର ଜନସାଧାରଣ ମନ ବନାଇ ସାରିଛନ୍ତି ବୋଲି ଆଜି ହରିୟାଣାର ପାନିପତ ଏବଂ ସମଲଖା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ସାମିଲ ହେବା ସହ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି ହରିୟାଣା ବିଜେପିର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କେନ୍ଦ୍ରମନ୍ତ୍ରୀ ଜନସାଧାରଣଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ । ଜନତାଙ୍କ ଆଶୀର୍ବାଦ ଓ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଯୋଗୁଁ ଏହି ଅଞ୍ଚଳରେ ପଦ୍ମ ଫୁଟିବା ନିଶ୍ଚିତ । ନିରବଚ୍ଛିନ୍ନ ବିକାଶ ପାଇଁ କେବଳ ବିଜେପି ଉପରେ ଲୋକଙ୍କ ଆସ୍ଥା ରହିଛି । ହରିୟାଣାରେ ତୃତୀୟ ଥର ପାଇଁ ପଦ୍ମ ଫୁଟାଇ ବିଜେପି ସରକାର ଗଠନ କରିବାକୁ ଯାଉଛନ୍ତି। ବିଜେପି ସରକାରରେ ନନ୍-ଷ୍ଟପ୍ ହରିୟାଣାର ବିକାଶ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।